suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ରଥ, ସଂଧ୍ୟା ୫.୪୫ରେ ଲାଗିଥିଲା ତାଳଧ୍ବଜ, ୬.୪୦ରେ ପହଞ୍ଚିଲା ନନ୍ଦିଘୋଷ

4/07/2019 at 7:21 PM

ବଡ଼ଦାଣ୍ଡେ ଗଡ଼ିଲା ନନ୍ଦିଘୋଷ ।  ଏଥର ନିର୍ଦ୍ଧାରିତ ସମୟର ଢ଼େର୍‌ ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଛନ୍ତି ୩ରଥ ।  ରଥଟଣା ପାଇଁ ଅପରାହ୍ଣ ୪ଟାକୁ କଣ୍ଟ ରଖିଥିଲା ପ୍ରଶାସନ । ହେଲେ ଦିନ ୨ଟା ୧୫ରୁ ଆରମ୍ଭ ହୋଇଥିଲା ରଥ ଟଣା । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା ହୋଇଥିବା ବେଳେ ପରେ ପରେ ଗଡ଼ିଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଆଉ ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥକୁ ଅତି ଆନନ୍ଦରେ ଟାଣିନେଇଥିଲେ ଭକ୍ତ । ତାଳଧ୍ବଜ ରଥ ୫ଟା ୪୦ରେ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିବାବେଳେ ନନ୍ଦିଘୋଷ ରଥ ଲାଗିଥିଲା ୬ଟା ୪୦ମିନିଟ ବେଳେ ।

ଆଜି ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନର ଅପୂର୍ବ ଦୃଶ୍ୟକୁ ଦେଖୁଥିଲା ସାରା ଜଗତ ।  ୧୫ଦିନ କାଳ ଅନବସରରେ ରହିଥିବା ମହାପ୍ରଭୁ ଭକ୍ତ ଠାରୁ ଦୂରେଇ ରହିବାର ଦୁଃଖକୁ ଆଉ ସମ୍ଭାଳିପାରୁନଥିଲେ । ସେଇଥିପାଇଁ ତ ପ୍ରଶାସନର ନୀତି ନିର୍ଘଣ୍ଟକୁ ଅପେକ୍ଷା ନକରି ଖେଚୁଡ଼ି ମୁଠାଏ ଖାଇ ସଅଳ ସଅଳ ବାହାରିପଡ଼ିଥିଲେ ବଡ଼ଦାଣ୍ଡକୁ ।  ପରମ୍ପରା ମୁତାବକ ଧାଡ଼ି ପହଣ୍ଡିରେ ଶ୍ରୀମନ୍ଦିରରୁ ବାହାରିଥିଲେ ଚତୁର୍ଦ୍ଧାମୂରତି । 

ପ୍ରଥମେ ହୋଇଥିଲା ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ତାଙ୍କ ପଛକୁ ପହଣ୍ଡି ହୋଇଥିଲେ ବଡ଼ ଠାକୁର ବଳଭଦ୍ର ମହାପ୍ରଭୁ ।  ତାଳଧ୍ବଜ ରଥର ଚାରମାଳ ଉପରକୁ ବଡ଼ ଠାକୁର ଉଠିବା ବେଳକୁ ସିଂହଦ୍ବାର ସାମ୍ନାରେ ପହଞ୍ଚିଯାଇଥିଲେ କାମ୍ପିଲ୍ୟବାସିନୀ ଦେବୀ ସୁଭଦ୍ରା ।  ସେତେବେଳକୁ ୨୨ପାହାଚ ଉପରୁ ଟାହିଆ ହଲାଇ ଚକାଚକା ଆଖିରେ ତାଙ୍କ ଭକ୍ତଙ୍କୁ ନିରେଖି ଦେଖୁଥିଲେ ଚକାନୟନ ।

କେତେବେଳେ ଝପଟି ଆସୁଥିଲେ ତ କେତେବେଳେ ଟିକେ ଅଟକି ଯାଇ ବୁଲି ବୁଲି ଦେଖୁଥିଲେ ତାଙ୍କ ଭକ୍ତମାନଙ୍କୁ ।  କିଏ କିଏ ଆସିଛନ୍ତି, ଆଉ କେହି କେଉଁଠି ଅଟକି ଯାଇନି ତ । ଏପଟେ କାଳିଆ ଠାକୁରଙ୍କ ଛେଚାକଚା ପହଣ୍ଡି ଦର୍ଶନ କରି ଭକ୍ତର ମନ ବି ଭକ୍ତିରେ ଭିଜି ଯାଉଥିଲା । ଆଖିରୁ ଝରିପଡ଼ୁଥିଲା ଆନନ୍ଦାଶ୍ରୁ । ଏତେ ଦିନ ପରେ ମହାପ୍ରଭୁଙ୍କୁ ପାଖରେ ପାଇ ମନ ଭିତରେ ସବୁ ଅଳି ଅର୍ଦ୍ଦଳୀ ଜଣାଇବାକୁ ଯେମିତି ଭକ୍ତର ମନ ଅଥୟ ହୋଇପଡ଼ୁଥିଲା ।

ସେପଟେ ଭକ୍ତର ସବୁ ମିନତୀକୁ ଯେମିତି ମୁଣ୍ଡ ହଲାଇ ଶୁଣୁଥିଲେ ମହାପ୍ରଭୁ ।  ଭକ୍ତ ଆଉ ଭଗବାନଙ୍କ ଭିତରେ ସମ୍ପର୍କର ଏହି ଦୁର୍ଲଭ ମୁହୁର୍ତ୍ତକୁ ଯିଏ ଦେଖିଛି ସେ ହିଁ ବୁଝିବ ବିଶ୍ବନିୟନ୍ତାଙ୍କ ଏହି ମାନବୀୟ ଲୀଳା କେତେ ମହାନ୍‌ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବାକୁ ବର୍ଷରେ ଗୋଟିଏ ଥର ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ସ୍ବୟଂ ଜଗନ୍ନାଥ । ସେଇଥିପାଇଁ ତ ସେ ଜଗତ ଠାକୁର । 

ଦାସିଆ ବାଉରି ହାତରୁ ନଡ଼ିଆ ନେଇ, ଭକ୍ତ ସାଲବେଗ ପାଇଁ ଅଟକି ଯାଇ କାହିଁ କେତେ ପ୍ରମାଣ ଦେଇସାରିଛନ୍ତି ଏହି ଭକ୍ତବତ୍ସଳ ଭଗବାନ ।  ସେପଟେ ଆଜି ପ୍ରଶାସନର ସବୁ ନିର୍ଘଣ୍ଟକୁ ପଛରେ ପକାଇ ଠାକୁରଙ୍କ ସବୁ ନୀତି ସଅଳ ସଅଳ ସାରିବାରେ ବ୍ୟସ୍ତ ଥାଆନ୍ତି ସେବାୟତ ।  ଚତୁର୍ଦ୍ଧାମୂରତି ରଥାରୁଢ଼ ହେବା ପରେ ପରମ୍ପରା ଅନୁସାରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ପହଞ୍ଚିଥିଲେ ବଡ଼ଦାଣ୍ଡରେ । ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଜଗତ୍‌ଗୁରୁ । 

ଏହା ପରେ ରଥରେ ଛେରାପହଁରା କରିବାକୁ ଆସିଥିଲେ ମହାପ୍ରଭୁଙ୍କ ଆଦ୍ୟ  ସେବକ ଗଜପତି ମହାରାଜ୍‌ । ପ୍ରଥମେ ବଡ଼ ଠାକୁର ତାଳଧ୍ବଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ପବିତ୍ର ଜଳ ସିଞ୍ଚନ ଏବଂ ଆଳତୀ କରିବା ପରେ ସୁନାର ଝାଡ଼ୁରେ ଛେରାପହଁରା କରିଥିଲେ ଗଜପତି । 

ଏହାପରେ ଦିନ ପ୍ରାୟ ୨ଟା ୧୫ବେଳକୁ ଆରମ୍ଭ ହୋଇଥିଲା ରଥଟଣା । ଘଣ୍ଟଘଣ୍ଟା, କାହାଳୀ ମର୍ଦ୍ଦଳର ଶବ୍ଦରେ ଫାଟି ପଡ଼ୁଥିଲା ବଡ଼ଦାଣ୍ଡ ।  ଲୋକାରଣ୍ୟ ହୋଇପଡ଼ିଥିଲା ସାରା ଶ୍ରୀକ୍ଷେତ୍ର । ବିଶ୍ବ ନିୟନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ।  ଦେଶ ବିଦେଶରୁ ଅସଂଖ୍ୟ ଭକ୍ତ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହୋଇ ନିଜକୁ ଧନ୍ୟ ମଣୁଥିଲେ । 

   Related Posts