ରାଜଧାନୀ ଉପକଣ୍ଠରୁ ୩ ଡକାୟତ ଗିରଫ: ଡକାୟତି ଉଦ୍ୟମ ପଣ୍ଡ
19/11/2018 at 6:06 PM

ଭୁବନେଶ୍ବର ୧୯//୧୧: ଡକାୟତି କରିବାକୁ ପ୍ରସ୍ତୁତ ହେଉଥିବା ୩ଜଣ ସନ୍ଦିଗ୍ଧ ଡକାୟତକୁ କମିଶନରେଟ ପୋଲିସ୍ ଧରିବାରେ ସକ୍ଷମ ହୋଇଛି। ବାଲିଅନ୍ତା ଥାନା ଅନ୍ତର୍ଗତ ପାହାଳ ଫାଣ୍ଡି ଅଧୀନରେ ଥିବା କରୁଣପଦା ଗାଁରୁ ଏମାନଙ୍କୁ ପୋଲିସ୍ ଗିରଫ କରିଛି। ଏମାନଙ୍କଠାରୁ ପୋଲିସ୍ ଗୋଟିଏ ପିସ୍ତଲ୍,ଦୁଇଟି ଭୁଜାଲି,୩ଟି ଅଫୁଟା ବୋମା,ଦୁଇଟି ବାଇକ୍ ଏବଂ ୩ଟି ମୋବାଇଲ ଜବତ କରିଛି। ଗିରଫ ୩ଜଣଙ୍କ ମଧ୍ୟରୁ ଜଣେ ଜଗତସିଂହପୁରର ହୋଇଥିବାବେଳେ ଜଣେ କଟକ ସଦର ଅଞ୍ଚଳର ଓ ଅନ୍ୟ ଜଣେ ବାଲିଅନ୍ତାର ବୋଲି ଜଣାପଡ଼ିଛି। ଏମାନଙ୍କ ନାଁରେ କଟକ ଏବଂ ଭୁବନେଶ୍ବରର କେଉଁ ଥାନାରେ କଣ ମାମଲା ରହିଛି ପୋଲିସ୍ ଯାଞ୍ଚ କରୁଛି। ଏଥିସହ ଏହି ଗ୍ୟାଙ୍ଗରେ ଆଉ କିଏ କିଏ ଅଛନ୍ତି ସେ ନେଇ ମଧ୍ୟ ଖୋଳତାଡ଼ ଚାଲିଛି। ଆଗକୁ ହକି ବିଶ୍ବକପ୍ ଥିବାବେଳେ ପୋଲିସ୍ ସେଥିରେ ବ୍ୟସ୍ତ ରହିବ। ଏହାର ସୁଯୋଗ ନେଇ କଟକ-ଭୁବନେଶ୍ବର ଅଞ୍ଚଳରେ ଏମାନେ ବଡ଼ଧରଣର ଡକାୟତି ଯୋଜନା କରୁଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।