ଅଭାବନୀୟ : ଘର ଭିତରେ ଥିବା ସୁଡଙ୍ଗରେ ପଶି ୩ ଭାଇଙ୍କ ମୃତ୍ୟୁ

Published By : Prameya-News7 Bureau | May 23, 2020 IST

ମୋହନା ୨୩।୫: ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟ ଗାଁରେ ଅଭାବନୀୟ ଘଟାଣା ଘଟିଛି । ଘର ଭିତରେ ଥିବା ଭୂତଳ ସୁଡଙ୍ଗରେ ପଶି ୩ ଭାଇଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଉଛନ୍ତି ବିକ୍ରମ ମାଝୀ, ସଞ୍ଜୀବ ମାଝୀ ଓ ଜିତୁ ମାଝୀ ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଘର ଭିତରେ ଥିବା ସୁଡଙ୍ଗରୁ କିଛି ଜିନିଷ ଆଣିବା ପାଇଁ ପ୍ରଥମେ ସଞ୍ଜୀବ ଯାଇଥିଲେ । ସେ ସେଠାରେ ଅଚେତ୍ ହୋଇପଡିଥିଲେ । ସେ ଅଚେତ୍ ହୋଇପଡିବାରୁ ବିକ୍ରମ ଭିତରକୁ ଯାଇଥିଲେ । ସେ ମଧ୍ୟ ସେଠାକୁ ଯାଇ ଅଚେତ୍ ହୋଇପଡିଲେ । ଦୁଇ ଭାଇ ଅଚେତ୍ ହେବା ଦେଖି ସାନ ଭାଇ ଜିତୁ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଅଚେତ୍ ହୋଇଗଲେ । ଏହା ଦେଖି ଭଉଣୀ ତାରକା ମାଝୀ ମା’ଙ୍କୁ ଜଣାଇଥିଲେ ।

ବାପା ଜୁଆନ ମାଝୀ ଓ ପରିବାର ଲୋକେ ରଶି ଲଗାଇ ସୁଡଙ୍ଗ ଭିତରୁ ୩ ଜଣଙ୍କୁ ବାହାର କରି ପ୍ରଥମେ ବିରିକୋଟ ମେଡିକାଲକୁ ନେଇଥିଲେ । ଏହାପରେ ମୋହନା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଶ୍ବାସରୁଦ୍ଧ ହେବା ଯୋଗୁଁ ୩ ଭାଇଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଅଡବା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.