ଘରେ ଖାଇବାକୁ ନାହିଁ, ହେଲେ ଗାଁ ଲୋକଙ୍କ ପାଇଁ ୩ଟି ବ୍ରିଜ୍‌ ସହ ୪ କିଲୋମିଟର ରାସ୍ତା କରିଦେଲେ ଯୁବକ

Published By : Prameya-News7 Bureau | December 13, 2022 IST

ରାୟଗଡ଼ା, ୧୩/୧୨: ଦିନଟିଏ କାମକୁ ନ ଗଲେ ଘରେ ଚୁଲି ଜଳେନି । ମୁଣ୍ଡ ଉପରେ ବୃଦ୍ଧ ପିତାମାତା ସହ ପତ୍ନୀ ଓ ପିଲାଙ୍କ ସମେତ ୭ ପ୍ରାଣୀଙ୍କ ବୋଝ । ଗରିବ କଷାଘାତ ସତ୍ତ୍ୱେ ନିଜ ଗାଁର ଦୁଃଖ ଦୂର କରିବା ପାଇଁ  ତିନୋଟି ପୋଲ ଓ ୪ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି । ସେ ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲି ପଞ୍ଚାୟତ ଅନ୍ତର୍ଗତ ଗୁଞ୍ଜରାମ ପଞ୍ଜରା ଗ୍ରାମର ରଞ୍ଜିତ ନାୟକ ।

ବ୍ରିଜ୍‌ ଅନ୍‌ ବିଛଳା । ବିଛଳା ନଦୀ ଉପରେ ତିଆରି ହୋଇଛି କାଠ ପୋଲ । ଏହି ପୋଲ ଏବେ ଏଠାକାର ଲୋକଙ୍କୁ ତିନିଟି ଜିଲ୍ଲା ସହିତ ଯୋଡ଼ିପାରିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପୋଲ ପ୍ରଶାସନ ନୁହେଁ ଗାଁର ଜଣେ ପୁଅ ରଞ୍ଜିତ ନାୟକ ନିଜ ଉଦ୍ୟମରେ ତିଆରି କରିଛନ୍ତି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲି ପଞ୍ଚାୟତ ଗୁଞ୍ଜରାମପଞ୍ଜରା ଗ୍ରାମର ରଞ୍ଜିତ ନାୟକ ତିଆରି କରିଥିବା କାଠ ପୋଲ ପାଇଁ ଉପକୃତ ହେଉଛନ୍ତି କାଶୀପୁର ବ୍ଲକର ୮ ଖଣ୍ଡ ଗ୍ରାମବାସୀ। ଗାଁ ଲୋକେ ବାଇକ୍‌ ନେଇ ସେପାରିକୁ ଯାଇପାରୁଛନ୍ତି, ଚାଲିଚାଲି ନଦୀ ପାର ହୋଇପାରୁଛନ୍ତି । ଆଉ ପାଣିରେ ପଶିବାକୁ ପଡୁନି। ରଞ୍ଜିତ ଏମିତି ତିନିଟି ପୋଲ ତିଆରି କରିଛନ୍ତି । ଆଉ ପୋଲକୁ ସଂଲଗ୍ନ କରୁଥିବା ୪ କିଲୋମିଟର ରାସ୍ତା ବି କରିଛନ୍ତି।

ରଞ୍ଜିତ ଡ୍ରାଇଭର ଭାବେ କାମ କରନ୍ତି। ହେଲେ ଗାଁକୁ ଆସିବା ଲାଗି ବଡ଼ ହଇରାଣ ହେଉଥିଲେ । ଗାଁ ଲୋକଙ୍କ ସହ ମିଶି ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ବି କେହି ଶୁଣିଲେନି । ତେଣୁ ବାପାଙ୍କ ସହିତ ମିଶି ରଞ୍ଜିତ ପୋଲ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ । କାଠ ଯୋଗାଡ଼ ପାଇଁ ବାହାରିଲେ । ହେଲେ ସେତକ ବି ମିଳିଲାନି । ତେଣୁ ରଞ୍ଜିତ ପତ୍ନୀଙ୍କ ସୁନା ଅଳଙ୍କାର ବନ୍ଧକ ପକାଇ ୭୦ ହଜାର ଟଙ୍କାରେ କାଠ ବହ୍ଲା କିଣି ପୋଲ ତିଆରି କଲେ । ଘରେ ଗଣ୍ଡାଏ ଖାଇବାକୁ ନାହିଁ। ରଞ୍ଜିତ ଓ ତାଙ୍କ ବାପା ଶିବ ନାୟକଙ୍କୁ ମିଳୁଥିବା ୨୫ କିଲୋ ଚାଉଳରୁ ୫ କିଲୋ ଏବେ କମେଇ ଦିଆଯାଇଛି ।

ବାପା-ପୁଅ ଏମିତି କୋଡ଼ି କୋଦାଳ ଧରି ରାସ୍ତା କରୁଥିବା ଦେଖି ଗାଁ ଲୋକ ଆଗେଇ ଆସିଥିଲେ। ୪ କିଲୋମିଟର ରାସ୍ତା ଏବଂ ୩ଟି ପୋଲ ତିନି ମାସରେ ଶେଷ ହେଲା। ଗାଁ ଲୋକେ ରଞ୍ଜିତଙ୍କ ଏହି ଉଦ୍ୟମକୁ ଖୁବ ପ୍ରଶଂସା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.