ଜୟପୁର, ୧୨/୧୧: ଜଣେ ୪୫ ବର୍ଷୀୟ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସମ୍ମୁଖରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ମହିଳାଙ୍କୁ ୪ ଜଣ ବ୍ୟକ୍ତି ମିଶି ଗଣଦୁଷ୍କର୍ମ କରିଛନ୍ତି । ଏପରି ଏକ ଲଜ୍ଜାକର ଘଟଣା ରାଜସ୍ଥାନର ସିରୋହି ଜିଲ୍ଲା ଅଞ୍ଚଳରେ ଘିଟିଛି ।
ପୋଲିସ୍ ଦେଇଥିବା ସୂଚନା ଅନୁସାରେ ବୁଧବାର ରାତିରେ ମହିଳା ଶୋଇବା ପାଇଁ ବିଛଣା ପାରୁଥିବା ବେଳେ ଏହି ୪ ଜଣ ବ୍ୟକ୍ତି ଡକାୟତି କରିବା ପାଇଁ ତାଙ୍କ ଘରକୁ ପଶିଥିଲେ । ସେମାନଙ୍କୁ ଦେଖି ପତି-ପତ୍ନୀ ଘରର ଗୋଟିଏ ସ୍ଥାନରେ ଭୟଭୀତ ହୋଇ ରହିଥିଲେ । ଡକାୟତମାନେ ସେମାନଙ୍କ ଠାରୁ ୧୪ ଶହ ଟଙ୍କା ଲୁଟିବା ପରେ ଆହୁରି ଟଙ୍କା ଏବଂ ମୂଲ୍ୟବାନ ଜିନିଷ ମାଗିଥିଲେ । ହେଲେ ଘରେ କିଛି ରୂପାର ଜିନିଷ ଛଡ଼ା ଆଉ କିଛି ନଥିବା ସେମାନେ କହିଥିଲେ । ପରେ ଡକାୟତମାନେ ଘର ଖୋଜିବା ସହ କିଛି ନପାଇ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଆଗରେ ଗଣଦୁଷ୍କର୍ମ କରିଥିଲେ ।
ପରେ ଗୁରୁବାର ଏନେଇ ଥାନାରେ ଏତଲା ଦେଇଥିଲେ ପତି-ପତ୍ନୀ । ତେବେ ମାମଲା ରୁଜୁ କରି ପୋଲିସ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ଥାନାକୁ ଖବର ଦେବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ କହିଥିଲା । ଶନିବାର ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ୍ । ଅନ୍ୟଜଣେ ଅଭିଯୁକ୍ତକୁ ପୋଲିସ୍ ଖୋଜାଖୋଜି କରୁଥିବା ପିଣ୍ଡ୍ୱାର୍ର ଡିଏସ୍ପି ଜେଠୁ ସିଂହ ସୂଚନା ଦେଇଛନ୍ତି ।