ରଥଯାତ୍ରା ପାଇଁ ପରିବହନ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା, ପୁରୀକୁ ଚାଲିବ ପ୍ରାୟ ୨ ହଜାର ବସ୍‌

Published By : Prameya-News7 Bureau | June 19, 2023 IST

କଟକ ୧୯।୬: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବିଶେଷ ବ୍ୟବସ୍ଥା କରିଛି ରାଜ୍ୟ ପରିବହନ ବିଭାଗ । ଯେହେତୁ ମଙ୍ଗଳବାରଠାରୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ, ତେଣୁ ଯାତ୍ରୀ ପରିବହନକୁ ସୁଗମ କରାଇବା ଲାଗି ପ୍ରାୟ ୨ ହଜାର ଯାତ୍ରୀବାହୀ ବସ୍‌କୁ ସ୍ବତନ୍ତ୍ର ପରମିଟ୍ ପ୍ରଦାନ କରାଯାଇଛି । ବସଯାତ୍ରୀ ମାନଙ୍କଠାରୁ ଅଧିକ ଭଡା ଆଦାୟ କରାଯାଇପାରିବ ନାହିଁ । କୌଣସି ବସ୍ରେ ଯେପରି ଭିଡ ନହେବ ଏବଂ ପ୍ରତ୍ୟେକ ଯାତ୍ରୀଙ୍କ ଲାଗି ପିଇବା ପାଣିର ବନ୍ଦୋବସ୍ଥ କରିବା ଲାଗି ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି ପରିବହନ ବିଭାଗ । ଯାତ୍ରୀ ପରିବହନ ବ୍ୟବସ୍ଥାକୁ ତନଖି କରିବା ଲାଗି ୨୫ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇଛି । ଯଦି କୌଣସି ଯାଗାରେ କିଛି ବି ବ୍ୟତିକ୍ରମ ଦେଖାଦିଏ, ତେବେ ସମ୍ପୃକ୍ତ ବସ୍‌ର ପରମିଟ୍ ବାତିଲ କରାଯିବା ସିହତ ମୋଟା ଅଙ୍କର ଜରିମନା ଆଦାୟ କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

ରଥଯାତ୍ରାର ସୁଯୋଗ ନେଇ ଯଦି କୌଣସି ଯାତ୍ରୀଙ୍କଠାରୁ ଧାର୍ଯ୍ୟ ଭଡାଠାରୁ ଅଧିକ ଟଙ୍କା ଆଦାୟ କରାଯିବ । ତେବେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି ପରିବହନ ବିଭାଗ । ସମ୍ଭବତଃ ସେହି ଚେତାବନୀର ପ୍ରତିଫଳନ ଏବେ କଟକ ବାଦମବାଡି ସ୍ଥିତ ପୁରୀ ବସଷ୍ଟାଣ୍ତରେ ଦେଖିବାକୁ ମିଳୁଛି । ଯେହେତୁ ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତେଣୁ ଏବେଠାରୁ ପୁରୀ ମୁହାଁ ହେଲେଣି ଯାତ୍ରୀ । ଦୈନିକ ଶହେରୁ ଅଧିକ ବସ୍ କଟକ ଏବଂ ପୁରୀ ମଧ୍ୟରେ ଯାଆସ କରେ । କିନ୍ତୁ ରଥଯାତ୍ରାକୁ ଆଖିରେ ରଖି, କଟକରୁ ପୁରୀ ମଧ୍ୟରେ ପ୍ରାୟ ୩ ଶହ ଅଧିକ ବସକୁ ସ୍ପେଶାଲ ପରମିଟ୍‌ ପ୍ରଦାନ କରିଛି ପରିବହନ ବିଭାଗ ।

କଟକ ବ୍ୟତୀତ ସମଗ୍ର ରାଜ୍ୟରୁ ପୁରୀ ଅଭିମୁଖେ ଆସିବା ଲାଗି ପ୍ରାୟ ୨ ହଜାର ଘରୋଇ ବସ୍କୁ ସ୍ପେଶାଲ ପରମିଟ୍‌ ମିଳିଛି । କିନ୍ତୁ ଚଳିତ ବର୍ଷ ଯେପରି ବସ୍‌ ଯାତ୍ରୀମାନେ ଅସୁବିଧାରେ ନପଡିବେ, ସେଥିଲାଗି ପରିବହନ ବିଭାଗ ତରଫରୁ  ଘରୋଇ ବସ୍ ମାଲିକମାନଙ୍କୁ ବହୁ ଆଗରୁ ସତର୍କ କରିଦିଆଯାଇଛି । ସରକାରୀ ନିୟମ ମୁତାବକ ଗାଡି ଚଳାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ହୋଇଛି । ଯେଉଁଥିଲାଗି ଆଜିଠାରୁ ଯାତ୍ରୀ ପରିବହନ ଶୃଙ୍ଖଳିତ ଢଙ୍ଗରେ ପ୍ରାୟତଃ ଆରମ୍ଭ ହୋଇଛି । ଅବଶ୍ୟ ମଙ୍ଗଳବାର ଏହା କେଉଁ ରୂପ ନେବ କହିହେବ ନାହିଁ ।   

ପ୍ରତ୍ୟେକ ବର୍ଷ ରଥଯାତ୍ରା ବେଳକୁ କଟକ ସମେତ ଭୁବନେଶ୍ବର, ପିପିଲି, ଖୋର୍ଦ୍ଧା ଏବଂ ବିଶେଷ କରି ପୁରୀରୁ ବସଯାତ୍ରୀମାନଙ୍କର ନାନାଦି ଅଭିଯୋଗ ଆସିଥାଏ । କେବେ ଅତ୍ୟଧିକ ବସ୍‌ଭଡା ଆଦାୟ ତ ପୁଣି କେବେ ବସ୍ ଭିତରେ ଠେଲାପେଲା ଭଳି ଅବସ୍ଥା । କିନ୍ତୁ ଚଳିତ ବର୍ଷ ପ୍ରତ୍ୟେକ ବସଷ୍ଟାଣ୍ତରେ ଧାର୍ଯ୍ୟ ହୋଇଥିବା ବସଭଡାର ସୂଚନା ଫଳକ ରହିବ । ଯାତ୍ରୀମାନଙ୍କ ବିଶ୍ରାମ ପାଇଁ ସବୁଠାରେ ବନ୍ଦୋବସ୍ଥ କରାଯିବା ସହିତ ସେମାନଙ୍କୁ ଦହିପାଣି କିମ୍ବା ଥଣ୍ତା ପାନୀୟ ଯୋଗାଇ ଦେବାକୁ ବିଭିନ୍ନ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛନ୍ତି । ଖାସ୍ କରି କଟକରେ ଶହେ ଯାତ୍ରୀ ଏକକାଳୀନ ବିଶ୍ରାମ ନେବାର ବନ୍ଦୋବସ୍ଥ କରିଛି ସ୍ଥାନୀୟ ଘରୋଇ ବସ୍ ମାଲିକ ସଂଘ । ଯାତ୍ରୀ ପରିବହନ କ୍ଷେତ୍ରରେ କୌଣସି ଅସୁବିଧା ହେବନାହିଁ ବୋଲି କଟକ ଘରୋଇ ବସ୍ ମାଲିକ ସଂଘ ଏକ ପ୍ରକାର ପ୍ରତିଶ୍ରୁତି ଦେଇଛି ।

ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ୨୫ଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍ ରହିବେ । ଏହ ସହିତ ବ୍ୟବସ୍ଥାକୁ ତନଖି କରିବା ଲାଗି ୬ଜଣ ଡେପୁଟି କମିଶନର ବିଭିନ୍ନ ସ୍ଥାନରେ ମୁତୟନ ହେବେ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

You Can Read :

wp:embed {"url":"https://www.prameyanews7.com/lakhs-of-rupees-looted-from-house-in-dhenkanal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/lakhs-of-rupees-looted-from-house-in-dhenkanal/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.