ସ୍ୱାମୀ ଅନୁପସ୍ଥିତିରେ ତୃତୀୟ ପତ୍ନୀକୁ ହତ୍ୟା କଲା ଦ୍ୱିତୀୟ ପତ୍ନୀ; ସାଙ୍ଗରେ ଥିଲେ ପ୍ରଥମ ପତ୍ନୀର ଝିଅ

Published By : Prameya-News7 Bureau | March 09, 2019 IST

ମୁମ୍ବାଇ ୯/୩ : ମାୟାନଗରୀ ମୁମ୍ବାଇରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ | ୩୩ ବର୍ଷ ବୟସ୍କା ଜଣେ ମହିଳା ନିଜ ସ୍ୱାମୀଙ୍କ ତୃତୀୟ ପତ୍ନୀଙ୍କୁ ହତ୍ୟା କରିଛନ୍ତି | ସ୍ୱାମୀଙ୍କ ପ୍ରଥମ ପତ୍ରୀଙ୍କ ୨ ଝିଅ ଏବଂ ଝିଅର ପ୍ରେମିକ ସହ ମିଶି ମହିଳା ଜଣକ ନିଜ ସଉତୁଣୀକୁ ହତ୍ୟା କରିଛନ୍ତି | ୪୫ ବର୍ଷ ବୟସ୍କ ସୁଶୀଲ ମିଶ୍ରଙ୍କ ୩ଟି ପତ୍ନୀ | ସେ ଜଣେ ଲେବର କଣ୍ଟ୍ରାକ୍ଟର | ସେ ମୁମ୍ବାଇ ସ୍ଥିତ ନାଲାସୁପାରାରେ ରହୁଥିଲେ | ତାଙ୍କ ପ୍ରଥମ ପତ୍ନୀ ଉତ୍ତର ପ୍ରଦେଶରେ ରହୁଥିଲେ | ୨୦୧୭ ମସିହାରେ ସୁଶୀଲ ପାର୍ବତୀ ନାମକ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ | ପାର୍ବତୀ ମୁମ୍ବାଇର ଡୋନ ଲେନରେ ରହୁଥିଲେ | ପାର୍ବତୀଙ୍କ ସହ ସୁଶୀଲଙ୍କ ପ୍ରଥମ ପତ୍ନୀର ୨ ଝିଅ ମଧ୍ୟ ରହୁଥିଲେ | ସମସ୍ତେ ହସଖୁସିରେ ରହୁଥିଲେ | ଦ୍ୱିତୀୟ ବିବାହର ବର୍ଷେ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା | କିନ୍ତୁ ବର୍ଷେ ପରେ ସବୁ କିଛି ଓଲଟପାଲଟ ହୋଇଗଲା | ପରିବାରରେ ସବୁବେଳେ ଝଗଡା ହେଉଥିଲା | ଏଥିରେ ବିରକ୍ତ ହୋଇ ସୁଶୀଲ ପୁଣି ତୃତୀୟ ବିବାହ କରିଥିଲେ | ସେ ଯୋଗିତା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ | ଉଭୟ ଲିଙ୍କ ରୋଡ଼ ସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିଲେ | ଯାହାଫଳରେ ପାର୍ବତୀ ରାଗି ଯାଇଥିଲେ |


ଫେବୃଆରୀ ୨୮ ତାରିଖରେ ପାର୍ବତୀ ସୁଶୀଲଙ୍କ ୨ ଝିଅ ଏବଂ ଗୋଟିଏ ଝିଅର ପ୍ରେମିକ ସହ ଲିଙ୍କ ରୋଡ଼ ସ୍ଥିତ ଯୋଗିତାଙ୍କ ଘରେ ପହଂଚିଥିଲେ | ୪ ଜଣ ମିଶି ଯୋଗିତାଙ୍କୁ ହତ୍ୟା କରିଥିଲେ | ସେତେବେଳେ ସୁଶୀଲ ମୁମ୍ବାଇରେ ନଥିଲେ | ସେ କୌଣସି ଏକ ଟ୍ରିପରେ ଗୁଜରାଟ ଯାଇଥିଲେ | ଯୋଗିତାଙ୍କୁ ହତ୍ୟା କରିବା ପରେ ୪ଜଣ ତାଙ୍କ ଶବକୁ କୋଉଠି ଫୋପାଡିବେ ବିଚାର କଲେ |


ଶବକୁ ଏକ କମ୍ବଳରେ ଗୁଡ଼ାଇ ଏକ ଅଟୋ ରିକ୍ସାରେ ନେଇ ନାଲାସୁପାରା ସ୍ଥିତ ଏକ ସପିଙ୍ଗ ମଲ ନିକଟରେ ଛାଡିଦେଲେ | ସେତେବେଳେ ରାତିରେ ସେ ପାଖାପାଖି ଅଂଚଳରେ କେହି ନଥିଲେ | ପରଦିନ ସକାଳେ ଜଣେ ସ୍ଥାନୀୟ ଲୋକ ଶବ ଦେଖି ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଥିଲେ | ପାଖରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା ପୋଲିସ | ପୋଲିସ ଦେଖିଥଲେ ଏକ ଅଟୋରେ ୪ଜଣ ଆସି ଶବକୁ ସେଠାରେ ଛାଡି ଚାଲିଯାଇଥିଲେ | ସିସିଟିଭି ଫୁଟେଜ ଆଧାରରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା | ପୋଲିସ ପାଖାପାଖି ୪ ହଜାର ଅଟୋରିକ୍ସା ଵାଲାଙ୍କୁ ପଚରାଉଚୁରା କରିଥିଲା | ଶେଷରେ ସେହି ଅଟୋ ମିଳିଥିଲା ଯେଉଁଥିରେ ପାର୍ବତୀ ଏବଂ ତାଙ୍କ ୧ଝିଅ ୟୋଗିତାଙ୍କ ଶବକୁ ନେଇଯାଇଥିଲେ | ଅଟୋରିକ୍ସା ଵାଲାର ବୟାନ ଆଧାରରେ ୪ ଜଣଙ୍କୁ ମଙ୍ଗଳବାର ଦିନ ଗିରଫ କରିଛି ପୋଲିସ |

ପୋଲିସ ସୂଚନା ଅନୁଯାୟୀ ହତ୍ୟାକାଣ୍ଡର ପୁରା କାହାଣୀ ପାର୍ବତୀ ରଚିଥିଲେ | କାରଣ ସୁଶୀଲ ତାଙ୍କୁ ଖର୍ଚ୍ଚ ପାଇଁ ଟଙ୍କା ଦେଉନଥିଲେ କି ତାଙ୍କ ଖର୍ଚ୍ଚ ମଧ୍ୟ ବହନ କରୁନଥିଲେ | ଯେଉଁଥିପାଇଁ ସେ ଏଭଳି ପଦକ୍ଷେପ ନେଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.