ଆଉ ଗୋଟିଏ କୋଟିଆ ! ବିଛିନ୍ନାଞ୍ଚଳର ଅପହଞ୍ଚ ଇଲାକା
13/06/2018 at 10:00 AM

ଏ ହେଉଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ଗାଁ । ହେଲେ ଏହି ଗାଁକୁ ଯିବା ଲାଗି ମାଲକାନଗିରି ଜିଲ୍ଲାରୁ ସିଧା ସଳଖ ରାସ୍ତା ଟିଏ ଏଯାଏ ନିର୍ମାଣ ହୋଇପାରି ନାହି । ଏଠାକାର ଆଦିବାସି ଲୋକେ ପ୍ରତିଦିନ ଆନ୍ଦ୍ର ପ୍ରଦେଶର ସିଲେରୁ ନଦୀ ପାରି ହୋଇ ଯିବା ଆସିବା କରନ୍ତି । ହେଲେ ସରକାରି ସହାୟତା ଲାଗି ସେମାନଙ୍କୁ କୋରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ହେଲେ ୧୦୦ କିଲୋମିଟର ରାସ୍ତା ଯିବାକୁ ପଡେ । ଏହା ସହ ପିଲାଙ୍କ ଜାତିଗତ ପ୍ରମାଣ ପତ୍ର ଓ ଜମିଜମା କାମ ଲାଗି ମୋଟୁ ତହସିଲ କାର୍ଯ୍ୟାଳୟକୁ ଯିବାକୁ ହେଲେ ୨୦୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡେ । ସରକାରଙ୍କ ୨୦୦ ଟଙ୍କା ଭତ୍ତା ଲାଗି ଏମାନଙ୍କୁ ୫୦୦ ଟଙ୍କା ଖର୍ଚ୍ଚ କରି ବ୍ଲକ କାର୍ଯ୍ୟାଳୟରେ ଯିବାକୁ ପଡେ ।
କେବଳ ଏତିକିରେ ଶେଷ ହୋଇ ନାହି ଏହି ଆଦିବାସିଙ୍କ ଦୁଖଃ କେନ୍ଦୁଗୁଡା ପଡି ସିମାନ୍ତ ମାଲକାନଗିରି ଜିଲ୍ଲାରେ ଗୁଣ୍ଠାବେଡା, ପାପୁଲୁର, କୁର୍ମାନୁର, ଦୋରାଗୁଡା, ନୁଆଗୁଡା ଓ ରାଲେଗୁଡା ପଞ୍ଚାୟତର ଅନେକ ଆଦିବାସି ଗାଁର ଅବସ୍ତା ଏକାପରି । କେଉଁଠି ବର୍ଷ ବର୍ଷ ଧରି ସ୍ବାସ୍ଥ୍ୟ କର୍ମୀ ମାନେ ଏହି ସବୁ ଗାଁକୁ ଯାଉ ନାହାନ୍ତି ତୋ ଆଉ କେଉଁଠି ମାସ ମାସ ବିଦ୍ୟାଳୟକୁ ଶିକ୍ଷକ ଯାଉନାହାନ୍ତି ।ଅନେକ ଗାଁରେ ବିଦ୍ୟାଳୟ ଗୃହ ଭାଙ୍ଗି ଯାଇଥିବା ବେଳେ ତାହାର ମରାମତି ମଧ୍ୟ ହେଉନାହି । ଫଳରେ ଏହି ଅଞ୍ଛଳର ଆଦିବାସି ପିଲାଏ ଶିକ୍ଷାର ଆଲୁଅ ଠାରୁ ଦୁରେଇ ଯାଉଛନ୍ତି । ଇନ୍ଦିରା ଆବାସ ଘର ହେଉ ବା ବିଜୁ ପକ୍କା ଘର ଯୋଜନା ସେସବୁ ଏହି ଆଦିବାସିଙ୍କ ଲାଗି ସାତ ସପନ । କାରଣ କୌଣସି ସରକାରି ବାବୁଙ୍କ କେବେ ବି ପାଦ ପଡି ନାହି କେନ୍ଦୁଗୁଡା ଗାଁରେ ।
ରାସ୍ତା ଘାଟ ନଥିବାରୁ ପ୍ରତିଦିନ ଏଭଳି ବିପଦ ଶଙ୍କୁଳ ଅବସ୍ତାରେ ଦେଶି ଡଙ୍ଗାରେ ଲୋକ ସିଲେରୁ ନଦୀ ପାରି ହୁଅନ୍ତି । ବର୍ଷା ଦିନେ ଅନେକ ଥର ଏଠାରେ ଡଙ୍ଗା ବୁଡି ହୋଇ ଲୋକଙ୍କ ଧନ ଜୀବନ ହାନି ମଧ୍ୟ ହୋଇଛି । ତେବେ ଏହି ଅଞ୍ଚଳର ଦୁରବସ୍ତାକୁ ନେଇ ଜିଲ୍ଲାପାଳ କହିଛନ୍ତି ଯେ ସିମାନ୍ତ ଅଞ୍ଚଳର ଲୋକଙ୍କ ପାଖରେ ସରକାରି ଯୋଜନା ଠିକ ଭାବେ ପହଞ୍ଚି ପାରୁ ନାହି । ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ସବୁକିଛିର ସମାଧାନ ହୋଇଯିବ ।