ଉଦୟପୁର ୩୧/୧୨ : ମହାରାଷ୍ଟ୍ର ପରେ ଏବେ ଉଦୟପୁରରେ ଆଉଜଣେ ଓମିକ୍ରନ୍ ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଉଦୟପୁରରେ ଜଣେ ୭୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକଜଣକ ଡିସେମ୍ବର ୧୪ ତାରିଖରେ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କର ଜେନମ୍ ସିକ୍ବେନ୍ସିଂ କରାଯାଇଥିବା । ପରେ ଜଣାପଡିଥିଲା ଯେ, ବ୍ୟକ୍ତିଜଣକ ଓମିକ୍ରନ୍ରେ ଆକ୍ରାନ୍ତ ହୋଇଛନ୍ତି । ଅବଶ୍ୟ ମୃତକଙ୍କ କରୋନା ରିପୋର୍ଟ ପୂର୍ବରୁ ନେଗେଟିଭ ଆସିଥିଲା । ତେବେ ଓମିକ୍ରନ୍ରେ ଆକ୍ରାନ୍ତ ହେବାପରେ ପୋଷ୍ଟ କୋଭିଡ କଂପ୍ଲିକେସନ୍ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।
ସିଏମ୍ଏଚ୍ଓ ଡାକ୍ତର ଖରାଡି କହିଛନ୍ତି, ଶୁକ୍ରବାର ସକାଳେ ହିଁ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଗତ ୧୦ ଦିନ ହେଲା ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ଗତ ୪ ଦିନହେଲା ସେ ଆଇସିୟୁରେ ଥିଲେ । ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହେବାପରେ ତାଙ୍କ ଦୁଇଥର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ମୃତକ ବ୍ୟକ୍ତି ଡାଇବେଟିସ୍, ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ।
ସୂଚନାଯୋଗ୍ୟ, ଉଦୟପୁରରେ ୬ ଦିନ ପୂର୍ବରୁ ୩ ଜଣ ବ୍ୟକ୍ତିଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା । ପରେ ସେମାନଙ୍କ ଜେନମ୍ ସିକ୍ବେନ୍ସିଂ ପରେ ଓମିକ୍ରନ୍ ଭ୍ୟାରିଆଣ୍ଟ ମିଳିଥିଲା । ସେମାନଙ୍କ ମଧ୍ୟରୁ ଜଣେ ୪୮ ବର୍ଷୀୟ ବ୍ୟକ୍ତି ନାଇଜେରିଆରୁ ଫେରିଥିଲେ । ପରେ ତାଙ୍କ ସଂସ୍ପର୍ଶରେ ଆସି ଆଉ ୨ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ରିପୋର୍ଟ ନେଜେଟିଭ ଆସିଥିବା ବେଳେ ଆଜି ସକାଳେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଅନ୍ୟ କେଉଁ ଦେଶରୁ ଫେରିନଥିଲେ ବରଂ ଅନ୍ୟଜଣଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିଲେ ।
ସବୁଠାରୁ ବଡ କଥା ହେଉଛି ମୃତକଜଣକ କରୋନାର ଉଭୟ ଡୋଜ୍ ଟିକାନେଇସାରିଥିଲେ । ପୂର୍ବରୁ ମହାରାଷ୍ଟ୍ରରେ ମଧ୍ୟ ଆଜି ସକାଳେ ଜଣେ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା । ମୃତକଜଣକ ଗତ ମଙ୍ଗଳବାର ଓମିକ୍ରନ୍ରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଥିଲା । ଏହା ସହିତ ସେ ଗତ ୧୩ ବର୍ଷହେଲା ଡାଇବେଟିସ୍ରେ ମଧ୍ୟ ପୀଡିତ ଥିଲେ ।