Corona ସଂକ୍ରମଣକୁ ନେଇ ଇଟାଲୀରେ ଆତଙ୍କ, କଡୋଗନୋ ସହରର ଶୂନଶାନ
22/02/2020 at 9:37 PM

କଡୋଗନୋ ୨୨।୨: ଇଟାଲୀ କଡୋଗନୋରେ ଶନିବାର ଦ୍ୱିତୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଘଟଣା ପ୍ରଚାରିତ ହେବା ପରେ ସହରରେ ଆତଙ୍କ ଖେଳିଯାଇଥିବା ବେଳେ ଲୋକେ ଘରେ କବାଟ କିଳି ଦେଲେଣି। ରାସ୍ତାଘାଟ ଶୂନଶାନ ହୋଇଯାଇଛି। ରାସ୍ତାରେ ଯାନବାହନ ଚଳାଚଳ କରୁନଥିବା ବେଳେ ରାସ୍ତାକଡ ଦୋକାନବଜାର ବି ବନ୍ଦ ହୋଇଯାଇଛି।

ଚୀନରେ କରୋନା ସଂକ୍ରମଣ ପରଠାରୁ ଲେକେ ନିୟମିତ ମରିବାରେ ଲାଗିଛନ୍ତି। ହେଲେ ସଂକ୍ରମଣ ଏବେବି ଚରମ ସୀମାରେ ପହଞ୍ଚି ନଥିବା କୁହାଯାଉଛି। ଯଦି ସଂକ୍ରମଣ ଚରମ ସ୍ଥିତିକୁ ଯାଏ ତେବେ ଚୀନରେ କ’ଣ ହେବ ତାହା କେବଳ କଳ୍ପନା ହିଁ କରାଯାଇପାରେ। ଏବେ ଚୀନ ସରକାରୀ ଆକଳନ ହିସାବରେ ମୃତ୍ୟୁ ସଂଖ୍ୟା ୨ ହଜାର ୩୪୫ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୭୬ହଜାର ୨୮୮ ବୋଲି ସୂଚିତ କରାଯାଇଛି। ତେବେ ସାରା ବିଶ୍ୱରେ ଏହି ସଂଖ୍ୟା ଏବେ ୭୭ ହଜାରରେ ପହଞ୍ଚି ସାରିଥିବା ଜଣାପଡିଛି।

ଚୀନ ଉହାନରେ ବ୍ୟାପୀଥିବା ସଂକ୍ରମଣ ଏବେ ଦେଶର ସୀମା ଅତିକ୍ରମ କରି ଭାରତ, ଦକ୍ଷିଣକୋରିଆ, ସିଙ୍ଗାପୁର,ଆମେରିକା, ଥାଇଲ୍ୟାଣ୍ଡ, ତାଇୱାନ, ଅଷ୍ଟ୍ରେଲିଆ, ମାଲେସିଆ, ଇରାନ, ଭିଏତନାମ, ଇଟାଲୀ, ଜାପାନ, ଜର୍ମାନୀ, ଫ୍ରାନ୍ସ ଓ ସାଉଦୀ ଆରବ ଆଦି ଦେଶରେ ପହଞ୍ଚି ଯାଇଛି। ଏଥିରେ ୟୁଏଇରେ ଏପର୍ଯ୍ୟନ୍ତ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଇରାନରେ ସଂକ୍ରମଣର ୧୦ ଅଭିଯୋଗ ମିଳିଛି।