ସଂସ୍ଥାପକଙ୍କୁ କୌଣସି ସୂଚନା ନ ଦେଇ NDTVର ୨୯ % ଅଂଶଧନକୁ ଅଧିଗ୍ରହଣ କରାଯାଇଛି, ଏହା କେମିତି ହେଲା ଜାଣନ୍ତୁ

Published By : Prameya-News7 Bureau | August 24, 2022 IST

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ ଏନ୍‌ଡିଟିଭି(ନ୍ୟୁ ଡେହ୍ଲୀ ଟେଲିଭିଜନ ଲିମିଟେଡ୍)ର ୨୯.୧୮ ପ୍ରତିଶତ ଅଂଶଧନ କିଣିବା ନେଇ ଖବର ପ୍ରକାଶ ପାଇଥଲା। ହେଲେ ଏନେଇ ଏନ୍‌ଡିଭିର ଫାଉଣ୍ଡର ତଥା ପ୍ରମୋଟର ସାମ୍ବାଦିକା ରାଧିକା ଏବଂ ପ୍ରଣୟ ରୟଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ବିଶ୍ୱପ୍ରଧାନ କମର୍ସିଆଲ୍ ପ୍ରାଇଭେଟ୍ ଲିମିଟେଡ୍(VCPL) ପକ୍ଷରୁ ପ୍ରଣୟ ଓ ରାଧିକାଙ୍କୁ ଏକ ନୋଟିସ୍ ପଠାଯାଇ RRPRHର ୨୯.୧୮ ପ୍ରତିଶତ ଶେୟାର୍ ଅକ୍ତିଆର କଥା କୁହାଯାଇଥିଲା। ଦୁଇଦିନ ମଧ୍ୟରେ କମ୍ପାନୀ ଏହାର ସମସ୍ତ ଶେୟାର ମାଲିକାନା ଭିସିପିଏଲ୍‌କୁ ହସ୍ତାନ୍ତର କରିବ ବୋଲି ନୋଟିସ୍‌ରେ କୁହାଯାଇଛି।

ସୂଚନା ଥାଉକି NDTV ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ଶେୟାର ପ୍ରୟଣ ରୟ ଓ ରାଧିକା ରୟଙ୍କ ପାଖରେ ରହିଛି।  RRPRH ହେଉଛି ଏମାନଙ୍କର କମ୍ପାନୀ। ଏହି କମ୍ପାନୀ ପାଖରେ NDTV ୨୯.୧୮ ପ୍ରତିଶତ ଶେୟାର୍ ରହିଥିଲା। ହେଲେ ଏହାକୁ କିଣି ନେଇଥିଲା VCPL। ୨୦୦୯-୧୦ରେ ଋଣ ଏଗ୍ରୀମେଣ୍ଟ ଜରିଆରେ VCPL NDTVର ୨୯.୧୮ ପ୍ରତିଶତ ଶେୟାର୍ ମାଲିକାନା ରଖିଥିଲା।

ଆଉ ଆଦାନୀ ଭିସିପିଏଲ୍‌ର ସମ୍ପୂର୍ଣ୍ଣ ଶେୟାର କିଣି ଦେଇ NDTVର ୨୯.୧୮ ପ୍ରତିଶତ ଅଂଶର ପରୋକ୍ଷ ମାଲିକାନା ପାଇଛନ୍ତି। ଏବଂ ଆଉ ୨୬ ପ୍ରତିଶତ ଶେୟାର ଉଚିତ୍ ମୂଲ୍ୟରେ କିଣିବା ପାଇଁ ଅଫର ମଧ୍ୟ ଦେଇଛନ୍ତି।  

ତେବେ NDTVର ସଂସ୍ଥାପକ ପ୍ରଣୟ ଓ ରାଧିକଙ୍କ କହିବା କଥା ହେଲା ଭିସିପିଏଲ୍‌ ତାଙ୍କୁ କୌଣସି ସୂଚନା ନ ଦେଇ କମ୍ପାନୀ ଅଧିକାରକୁ ବ୍ୟବହାର କରିଛି। ଏହା ପୂର୍ବରୁ ରୟ ଦମ୍ପତ୍ତି ଏନ୍‌ଡିଟିଭିର ଶେୟାର ହୋଲ୍‌ଡରେ କୌଣସି ପରିବର୍ତ୍ତନ ହୋଇ ନାହିଁ ବୋଲି ଷ୍ଟକ୍‌ ଏକ୍ସଚେଞ୍ଜକୁ ସୂଚନା ଦେଇଥିଲା। ହେଲେ ଏପଟେ ସଂସ୍ଥାପକଙ୍କ ଅଗୋଚରରେ ଶେୟାର୍‌ ହୋଲ୍‌ଡର ଆଦାନୀଙ୍କୁ ପାଖକୁ ଯାଇଛି।   

ହେଲେ ଏବେ କମ୍ପାନୀର ୨୯ ପ୍ରତିଶତରୁ ଅଧିକ ଶେୟାର୍‌ ମାଲିକାନା ଆଦାନୀଙ୍କ ପାଖକୁ ଚାଲିଯିବାରୁ ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।  କାରଣ NDTV ଅନ୍ୟ ଗଣମାଧ୍ୟମ ଅପେକ୍ଷା ନିରପେକ୍ଷ ଖବର ପରିବେଶଣ କରେ ଓ କେନ୍ଦ୍ର ସରକାରଙ୍କ ଦୋଷ ଦୁର୍ବଳତା ଦେଖାଏ ବୋଲି କୁହାଯାଏ। । ଆଉ ଆଦାନୀ ମୋଦୀ ସରକାରଙ୍କର ନିକଟତର ହୋଇଥିବାରୁ ମାଲିକାନା ସତ୍ତ୍ୱ ପାଇଲେ ଚ୍ୟାନେଲ୍‌ର ସ୍ୱର ବଦଳିଯିବ ବୋଲି ଚର୍ଚ୍ଚା ହେଉଛି। ଏହାର ଆଙ୍କର ରବିଶ କୁମାରଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି।

ତେବେ କମ୍ପାନୀ ଏହି ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ଦେଇଛି। ଚ୍ୟାନେଲ୍ ସାମ୍ବାଦିକତାର ଧର୍ମକୁ ବଜାଇ ରଖିବ ଓ ଗର୍ବର ସହ ସାମ୍ବାଦିକତା କରିବ ବୋଲି NDTV କହିଛି। ସେହିପରି ଆଙ୍କର ରବିଶ କୁମାର ମଧ୍ୟ ଟ୍ୱିଟ୍ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି “ ମାନନୀୟ ଜନତା, ମୋ ଇସ୍ତଫା କଥା ଠିକ୍ ସେହିଭଳି ଗୁଜବ ଯେମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ ଇଣ୍ଟରଭ୍ୟୁ ଦେବାକୁ ପ୍ରସ୍ତୁତ। ଓ ଅକ୍ଷୟ କୁମାର ବମ୍ବାଇ ଆମ୍ବ ଧରି ଗେଟ୍‌ ସାମ୍ନାରେ ମୋ ଅପେକ୍ଷା କରୁଛନ୍ତି। ଆପଣଙ୍କ ରବିଶ କୁମାର ବିଶ୍ୱର ପ୍ରଥମ ଓ ସବୁଠାରୁ ମହଙ୍ଗା ଜିରୋ ଟିଆର୍‌ପି ଆଙ୍କର।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.