ଥଣ୍ଡା ଜ୍ବର ଭଲ କରିବାକୁ ୨୮ଦିନର ଶିଶୁକୁ ଚେଙ୍କ, ମେଡିକାଲ ଆଣିବା ବାଟରେ ଶିଶୁର ମୃତ୍ୟୁ : କେବେ ଯିବ ଏ ଦିସାରୀ ଦୁଃଖ

Published By : Prameya-News7 Bureau | February 25, 2020 IST

ନବରଙ୍ଗପୁର ୨୫।୨: ଥଣ୍ଡା ଜ୍ବର ଭଲ କରିବାକୁ ୨୮ ଦିନର ଶିଶୁକୁ ଦିଆଗଲା ଚେଙ୍କ । ମେଡିକାଲକୁ ଆଣିବା ବାଟରେ ଶିଶୁର ହେଲା ମୃତ୍ୟୁ । ଏଭଳି ଘଟଣା ଘଟିଛି ଉମରକୋଟ ଅଞ୍ଚଳରେ । ଶିଶୁର ମା’ ଓ ବାପା ଶିଶୁକୁ ଚେଙ୍କ ଦେଇଥିବା ସ୍ବୀକାର ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଛତିଶଗଡର ଭୁତବେଡାର ଡମ୍ବରୁଧର ଯାଦବ ଓ  ମାଳତିବାଇ ଯାଦବଙ୍କ ୨୮ ଦିନର ଶିଶୁ ପୁତ୍ରକୁ ଥଣ୍ଡା ଜ୍ବର ହୋଇଥିଲା । ନିଜ ଗାଁ ଭୂତବେଡାଠାରେ ଶିଶୁକୁ ଚେଙ୍କ ଦେଇଥିଲେ ପରିବାରଲୋକ । କିନ୍ତୁ ଭଲ ନହେବାରୁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ମୁଣ୍ଡିବେଡା ସ୍ଥିତ ଶିଶୁର ଆଈ ଘରକୁ ଆଣିଥିଲେ ।

ସେଠାରେ ଶିଶୁଟି ଗୁରୁତର ହେବାରୁ ତାକୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ପରିବାରଲୋକ । କିନ୍ତୁ ଆଣିବା ସମୟରେ ହିଁ ଶିଶୁଟିର ମୃତ୍ୟୁ ହୋଇଥିଲା । ଶିଶୁର ମା’ ଓ ବାପା ଶିଶୁକୁ ଚେଙ୍କ ଦେଇଥିବା ସ୍ବୀକାର ମଧ୍ୟ କରିଛନ୍ତି  । ନିଜ ଗାଁରେ କୌଣସି ମେଡିକାଲର ସୁବିଧା ନଥିବାରୁ ଶେଷରେ ଚେଙ୍କ ଦେବାକୁ ବାଧ୍ୟ ହୋଇଥିଲ ବୋଲି ସେମାନେ କହିଛନ୍ତି ।

ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ଆଜି ବି ଲୋକଙ୍କ ମନରେ ଅନ୍ଧ ବିଶ୍ଵାସ ରହିଛି । ସମାଜରୁ ଅନ୍ଧ ବିଶ୍ବାସ କମ୍ ହେବାର ନାଁ ନେଉନି । ରୋଗ ହେଲେ ପ୍ରଥମେ ଦିସାରୀ ଓ ଗୁଣିଆ ପାଖକୁ ନେଇ ଯନ୍ତ୍ରଣା ଦାୟକ ଚେଙ୍କ ଦିଆଯାଉଛି । ତାପରେ ଚିକିତ୍ସାଳୟକୁ ଅଣାଯାଉଛି । କେବେ ଲୋକ ସଚେତନ ହେବେ ଆଉ ଏଭଳି ଅନ୍ଧବିଶ୍ବାସ ଦୂର ହେବ । ଆଉ ବଞ୍ଚିଯିବ କୋମଳମତି ଶିଶୁଙ୍କ ଜୀବନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.