ପରିବା ବୋଝେଇ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ : ୨୭୧ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ

Published By : Prameya-News7 Bureau | January 09, 2021 IST

ରାୟଗଡା ୯।୧: ବାଲେଶ୍ବର ଚାଲାଣ ବେଳେ ଗଞ୍ଜେଇ ଜବତ ହୋଇଛି । ରାୟଗଡା ଟାଉନ ଥାନା ପୋଲିସ ଦ୍ବାରା ଏହି ଗଞ୍ଜେଇ ଜବତ ହୋଇଛି । ଏକ ପରିବା ବୋଝେଇ ଭ୍ୟାନରେ ଚାଲାଣ ବେଳେ ୨୭୧ କେଜି ଗଞ୍ଜେଇ ପୋଲିସ ଜବତ କରିଛି । ଏହି ଘଟଣାରେ ଭ୍ୟାନ୍ ଡ୍ରାଇଭର ଅମରେନ୍ଦ୍ର ଦାଶକୁ ଗିରଫ କରାଯାଇଛି । ଗିରଫ ଅମରେନ୍ଦ୍ରର ଘର ବାଲେଶ୍ବର ସହରରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଏକ ପରିବା ବୋଝେଇ ଭ୍ୟାନରେ ପ୍ରାୟ ୧୦ ବସ୍ତା ଗଞ୍ଜେଇ ପ୍ୟାକିଂ କରି ଚାଲାଣ ହେଉଥିଲା । ଏହି ସମୟରେ ପୋଲିସ ପେଟ୍ରୋଲିଂ ଟିମ୍ ସହରର ସିରିଗୁଡା ଠାରେ ଭ୍ୟାନ୍ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଗଞ୍ଜେଇ ରହିଥିବା ଜଣାପଡିଥିଲା । ତୁରନ୍ତ ଉକ୍ତ ଭ୍ୟାନ ଜବତ କରି ଥାନାକୁ ଆଣି ତନାଘନା କରାଯାଇଥିଲା । ସେହି ସମୟରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ନଜରକୁ ଆସିଥିଲା । ଏହାପରେ ଶନିବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । ଓଜନ ପରେ ସେଥିରେ ୨୭୧ କେଜି ଗଞ୍ଜେଇ ରହିଥିବା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.