ବାହାନଗା ଟ୍ରେନ୍ ଦୁର୍ଘଟଣା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୨୭୦ ପୂର୍ବତନ ପ୍ରଶାସନିକ ଅଧିକାରୀ
10/06/2023 at 7:44 PM

ନୂଆଦିଲ୍ଲୀ, ୧୦/୦୬: ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଦେଶର ପୂର୍ବତନ ପ୍ରଶାସନିକ ଅଧିକାରୀ। ଜୁନ୍ ୨ରେ ହୋଇଥିବା ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାକୁ ନେଇ ୨୭୦ ପୂର୍ବତନ ପ୍ରଶାସନିକ ଅଧିକାରୀ, ବିଚାରପତି ଏବଂ ସେନାର ପୂର୍ବତନ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଘଟଣାରେ ଷଡ଼ଯନ୍ତ୍ରର ଆଶଙ୍କା କରିଛନ୍ତି। ଏହି ଚିଠିରେ ୯୦ ଦଶକ ଏବଂ ୨୦୦୦ ମସିହାର ଦେଶବିରୋଧୀ ଶକ୍ତିଙ୍କ ଦ୍ବାରା ରେଳ ଲାଇନରେ କରାଯାଇଥିବା ଷଡ଼ଯନ୍ତ୍ରର ଉଦାହରଣ ଦେଇଛନ୍ତି।
ଏହି ଚିଠିରେ, ପୂର୍ବତନ ଅଧିକାରୀମାନେ ରେଲଓ୍ବେ ଟ୍ରାକ୍ ନିକଟରେ ଅବୈଧ ଜବରଦଖଲ ହଟାଇବାକୁ ଦାବି କରିଛନ୍ତି। ପୂର୍ବତନ ଡିଜିପି ବିକ୍ରମ ସିଂହ ଏବଂ ପୂର୍ବତନ ଡିଜିପି ଏସପି ବୈଦ୍ୟା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ସବୁ ଦିଗରୁ ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଥିବା ଅଧିକାଂଶ ଆଇଏଏସ ଆଇପିଏସ ଅଧିକାରୀ ଏହିଭଳି ଘଟଣାକୁ ରୋକିବା ପାଇଁ ସେନାର ଉଚିତ୍ ନିୟୋଜନ ପାଇଁ ପରାମର୍ଶ ଦେଇଛନ୍ତି। ଏହା ସହ ସିବିଆଇର ଯାଞ୍ଚରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି । ଚିଠିରେ କୁହାଯାଇଛି ଯେ, ଘଟଣା ଜାଣିଶୁଣି କରାଯାଇଥାଇପାରେ କିମ୍ବା ଆତଙ୍କବାଦ ମଧ୍ୟ ହୋଇପାରେ।
ଆହୁରି ପଢ଼ନ୍ତୁ: ବାହାନଗା ଟ୍ରାଜେଡିରେ ସିବିଆଇ ତନାଘନା, ଷ୍ଟେସନରେ ଡେରା ପକାଇଛି ଟିମ୍
ସୂଚନାଯୋଗ୍ୟ, ଜୁନ୍ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ହୋଇଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୨୮୮ ଜଣକ ପ୍ରାଣ ଯାଇଥିବାବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାଦିନ, ଲୁପ୍ ଲାଇନ୍ରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍କୁ ପଛରୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍। ଏହି ସମୟରେ ଟ୍ରେନ୍ର ବେଗ ଏତେ ଥିଲା ଯେ, କରମଣ୍ଡଳ ଏକ୍ସପ୍ରେସ୍ ମାଲବାହୀ ଟ୍ରେନ୍ ଉପରକୁ ଛିଟିକି ପଡ଼ିଥିଲା। ଟ୍ରେନ୍ର କିଛି ବଗି ରେଳ ଧାରଣା ଉପରକୁ ଛିଟିକି ପଡ଼ିଥିଲା। ଆଉ ଏହି ସମୟରେ ସେହି ସ୍ଥାନରୁ ଅତିକ୍ରମ କରୁଥିବା ବେଙ୍ଗାଲୁରୁ-ହାଓ୍ବଡା ସୁପରଫାଷ୍ଟର ଏକ୍ସପ୍ରେସର ଶେଷ ଦୁଇ ବଗି ସହ ମାଡ଼ ହୋଇଥିଲା କରମଣ୍ଡଳର ବଗି। ଏହି ସମୟରେ ଉଭୟ ଟ୍ରେନ୍ର ବଗି ୧୨୦ କିମି ପ୍ରତିଘଣ୍ଟାରୁ ଅଧିକ ଥିଲା। ଆଉ ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ସମସ୍ତଙ୍କୁ ସ୍ତବ୍ଧ କରିଛି।
ଆହୁରି ପଢ଼ନ୍ତୁ: AIIMSରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଚିହ୍ନଟ ହୋଇପାରୁନଥିବା ମୃତଦେହର ହେବ ଡିଏନ୍ଏ ଟେଷ୍ଟ