ଜାମ୍ବିଆ ରାଜଧାନୀ ଲୁସାକାରେ ଚାଞ୍ଚଲ୍ୟ, ବନ୍ଦ ଟ୍ରକ୍ ଭିତରୁ ୨୭ ମୃତଦେହ ଠାବ

Published By : Prameya-News7 Bureau | December 12, 2022 IST

ନୂଆଦିଲ୍ଲୀ: ଜାମ୍ବିଆରେ ଲୋମଟାଙ୍କୁରା ଘଟଣା । ଟ୍ରକ୍ ଭିତରୁ ୨୭ଜଣଙ୍କ ମୃତଦେହ ଠାବ । ବନ୍ଦ ଟ୍ରକ୍ ଭିତରେ ଅମ୍ଳଜାନ ଅଭାବରୁ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଇଛି । ଜାମ୍ବିଆର ରାଜଧାନୀ ଲୁସାକାରୁ ଶବ ଉଦ୍ଧାର କରିଛି ପୋଲିସ । ମୃତକମାନେ ଇଥିୟୋପିଆଇ ନାଗରିକ ବୋଲି ଜଣାପଡ଼ିଛି ।

ପୋଲିସ ଜନସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାମ୍ବିଆ ରାଜଧାନୀ ଲୁସାକାରୁ ରବିବାର ୨୭ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । କୁହାଯାଉଛି ଏମାନେ ସବୁ ଇଥିୟୋପିଆଇ ପ୍ରବାସୀ । ମୃତ ନାଗରିକଙ୍କ ବୟସ ୨୦ରୁ ୩୮ ବର୍ଷ ମଧ୍ୟରେ ହେବ। ଅଜଣା ଲୋକଙ୍କ ମୃତଦେହ ଲୁସାକାର ଏନଜିବିରିର ଅଞ୍ଚଳରେ ଟ୍ରକ୍ ଭିତରେ ପଡ଼ିଥିବାର ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଭିତରୁ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଟ୍ରକ୍ ଭିତରେ ଅଣନିଶ୍ବାସୀ ହୋଇ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରିଛି ପୋଲିସ ।

ପୋଷ୍ଟମର୍ଟମ ପାଇଁ ସମସ୍ତ ଶବକୁ ୟୁନିଭରସିଟି ଟିଚିଂ ହସପିଟାଲକୁ ନିଆଯାଇଛି । ପୋଲିସ ଏହି ଘଟଣାରେ ତଦନ୍ତ କରୁଛି । ଦୁର୍ଘଟଣା ଜନିତ ମୃତ୍ୟୁ ନା ହତ୍ୟା କରାଯାଇଛି ସେନେଇ ତନତନ ଯାଞ୍ଚ କରୁଛି ପୋଲିସ । ଅନ୍ୟପଟେ ଟ୍ରକ୍ ମଧ୍ୟରୁ ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରାଯାଇଛି । ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ପୋଲିସ । ଯୁବକଙ୍କ ଜଣକ ସୁସ୍ଥ ହେବା ପରେ ୨୭ଜଣଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.