ଦେଶରେ ୨୭ କୋଟି ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ, ଛତିଶଗଡରେ ସବୁଠୁ ଅଧିକ ଗରିବ
22/07/2022 at 4:36 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦ୍ୱାରା ଲୋକସଭାରେ ଉପସ୍ଥାପିତ କରାଯାଇଥିବା ଏକ ପରିସଂଖ୍ୟାନ ଅନୁସାରେ ଦେଶରେ ୨୭ କୋଟିରୁ ଅଧିକ ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି । ଗ୍ରାମଞ୍ଚାଳରେ ବାସ କରୁଥିବା ଯେଉଁ ବ୍ୟକ୍ତି ଦୈନିକ ୨୬ ଟଙ୍କା ଏବଂ ସହରରେ ବାସ କରୁଥିବା ଯେଉଁ ବ୍ୟକ୍ତି ପ୍ରତିଦିନ ୩୨ ଟଙ୍କା ଖର୍ଚ୍ଚ କରି ପାରନ୍ତି ନାହିଁ ତାଙ୍କୁ ଦାରିଦ୍ର୍ୟ ସୀମା ତଳେ ରଖାଯାଏ । ଦେଶର ରାଜ୍ୟ ଗୁଡିକ ମଧ୍ୟରେ ଛତିଶଗଡରେ ସବୁଠୁ ଅଧିକ ଗରିବ ଅଛନ୍ତି । ସେହିପରି ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ମଧ୍ୟ ପ୍ରଦେଶରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ତିନି ଜଣ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ।
ସରକାରୀ ତଥ୍ୟ ଅନୁସାରେ, ଦାରିଦ୍ର୍ୟ ସୀମା ତଳେ ରହି ଜୀବନ ବିତାଉଥିବା ସବୁଠୁ ଅଧିକ ଲୋକ ଛତିଶଗଡରେ ବାସ କରନ୍ତି । ଏହି ରାଜ୍ୟର ୪୦ ପ୍ରତିଶତ ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି । ଝାଡଖଣ୍ଡ, ମଣିପୁର, ଅରୁଣାଚଳ, ବିହାର, ଓଡିଶା, ଆସାମ, ମଧ୍ୟ ପ୍ରଦେଶ ଏବଂ ଉତ୍ତର ପ୍ରଦେଶରେ ଏଠାକାର ଜନସଂଖ୍ୟାର ୩୦ ପ୍ରତିଶତ ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି । ଏହି ରାଜ୍ୟ ଗୁଡିକରେ ପ୍ରତି ୧୦ ଜଣ ବ୍ୟକ୍ତିଙ୍କ ଭିତରୁ ୩ ଜଣ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି।
ଲୋକସଭାରେ ଦାରିଦ୍ର୍ୟ ସୀମାରେଖା ସହ ଜଡିତ ଏକ ପ୍ରଶ୍ନ ଉପରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସୂଚନା ଦେଇ କହିଛି ଦେଶର ୨୧.୯ ପ୍ରତିଶତ ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି । ତେବେ ଏହି ସଂଖ୍ୟା ୨୦୧୧-୧୨ ମସିହାର ଏବଂ ଏହାପରେ ଦେଶରେ ଗରିବ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଇ ନାହିଁ । ସରକାରଙ୍କ ଦାରିଦ୍ର୍ୟ ସୀମାରେଖ ମାନଦଣ୍ଡ ଅନୁସାରେ, ଗାଁରେ ଯଦି କେହି ପ୍ରତି ମାସରେ ୮୧୬ ଟଙ୍କା ଏହଂ ସହରରେ ୧୦୦୦ ଟଙ୍କା ଖର୍ଚ୍ଚ କରନ୍ତି ତେବେ ସେ ଏହି ସୀମାରେଖା ଉପରେ ରହିବେ।
ଭାରତର ସ୍ୱାଧୀନତା ସମୟରେ ଦେଶର ୮୦ ପ୍ରତିଶତ ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ । ସ୍ୱାଧୀନତାର ୭୫ ବର୍ଷ ପରେ ଏହା ୨୨ ପ୍ରତିଶତକୁ ଖସି ଆସିଛି । ତେବେ, ଯଦି ଏହାକୁ ସଂଖ୍ୟା ଆଧାରରେ ଦେଖିବା ତେବେ ବେଶି ବ୍ୟବଧାନ ନାହିଁ । ଦେଶର ସ୍ୱାଧୀନତା ସମୟରେ ୨୫ କୋଟି ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ ଏବଂ ଏବେ ୨୬.୯ କୋଟି ଜନସଂଖ୍ୟା ଦାରିଦ୍ର୍ୟ ସୀମାରେଖ ତଳେ ଅଛନ୍ତି ।