ମିଥ୍ୟା ଖବର ପ୍ରଚାର କରୁଥିଲେ ସାବଧାନ ! ଭାରତ ସରକାରଙ୍କ ନଜରରେ ୨,୫୦୦ ସୋସିଆଲ୍ ମିଡିଆ ଆକାଉଣ୍ଟ
17/09/2020 at 4:07 PM

ନୂଆଦିଲ୍ଲୀ ୧୭/୦୯: ଗଲଓ୍ବାନ ଘାଟି ସଂଘର୍ଷ ପରେ ଚୀନ ପ୍ରତି ଭାରତ କଡ଼ା ଆଭିମୁଖ୍ୟ ପୋଷଣ କରିଆସୁଛି। ବିଭିନ୍ନ ଚୀନ ଆପ୍ଲିକେସନ୍ ବ୍ୟାନ୍ କରିଛି ଭାରତ। ଏଥିରେ ହଜାର ହଜାର କୋଟି ଟଙ୍କାର କ୍ଷତି ସହୁଥିବା ଚୀନ କିନ୍ତୁ ନିଜର ପ୍ରକୃତି ଛାଡ଼ିପାରୁନାହିଁ। ପୂର୍ବ ଲଦାଖରେ ସ୍ଥିତି ଏବେ ବି ସଙ୍ଗୀନ ରହିଛି। ଏହି ସମୟରେ କିଛି ଫେକ୍ ସୋସିଆଲ୍ ଆକାଉଣ୍ଟ ଚୀନ୍ ପ୍ରୋପାଗଣ୍ଡା ଭାରତରେ ଚଳାଉଥିବା ଦେଖିବାକୁ ମିଳୁଛି।
କେବଳ ସେତିକି ନୁହେଁ ଭାରତରେ ମିଥ୍ୟା ଖବର ପ୍ରସାରଣ କରି ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛନ୍ତି । ତେବେ ଏଭଳି କିଛି ରିପୋର୍ଟ ପାଇବା ପରେ ଏବେ ଭାରତ ସରକାର ୨୫୦୦ ଏଭଳି ଆକାଉଣ୍ଟ ଉପରେ କଡ଼ା ନଜର ରଖିବା ଆରମ୍ଭ କରିଛନ୍ତି। ଅଧିକାଂଶ ଆକାଉଣ୍ଟ ପାକିସ୍ତାନରୁ ଅପରେଟ୍ ହେଉଥିବା ରିପୋର୍ଟରୁ ଜଣାପଡ଼ିଛି । ଏଥିମଧ୍ୟରୁ ଅଧିକାଂଶ ଆକାଉଣ୍ଟ ବ୍ୟାନ୍ କରାଯାଇଥିବା ବେଳେ ପୁଣିଥରେ ସେହିଭଳି ଆକାଉଣ୍ଟ ଚାଲୁଥିବା ମଧ୍ୟ ଦେଖିବାକୁ ମିଳିଛି ।
କେବଳ ନାମ ପରିବର୍ତ୍ତନ କରି ଏହିସବୁ ଆକାଉଣ୍ଟକୁ ପୁନଃ କାର୍ଯ୍ୟକ୍ଷମ କରାଯାଉଛି । ତେବେ ଆକାଉଣ୍ଟ ଚଳାଇବା ପାଇଁ ଆବଶ୍ୟକ ଇମେଲ୍ ଆଇଡି, ଫୋନ୍ ନମ୍ବର ଆଦି ସମାନ ରହୁଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଏହିସବୁ ଆକାଉଣ୍ଟଗୁଡ଼ିକୁ ଆଇପି ଆଡ୍ରେସ୍ ବିଶ୍ଳେଷଣ ଦ୍ବାରା ଠାବ କରାଯାଇଛି । ପାକିସ୍ତାନ ବ୍ୟତୀତ ଅନ୍ୟ ଦେଶରୁ ମଧ୍ୟ ଭାରତ ବିରୋଧୀ ଖବର ପ୍ରସାରିତ ହେଉଛି । ଯେଉଁ ଦେଶରେ ସୋସିଆଲ୍ ମିଡିଆ ବ୍ୟାନ୍ ଅଛି ସେଠାକାର ୟୁଜର୍ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟଓ୍ବର୍କ(ଭିପିଏନ୍) ଦ୍ବାରା ଆକାଉଣ୍ଟ ଚଳାଉଥିବା ରିପୋର୍ଟରୁ ଜଣାପଡ଼ିଛି ।