ପ୍ରଭାବଶୂନ୍ୟ ହେଉଛି ଆଣ୍ଟିବାୟୋଟିକ୍; ୨୫% ରୋଗୀଙ୍କ କ୍ଷେତ୍ରରେ କାମ କରୁନି, ICMR ରିପୋର୍ଟ ଚିନ୍ତା ବଢ଼ାଇଲା

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ,୩୦/୦୯: ରୋଗରୁ ଶୀଘ୍ର ଆଶ୍ୱସ୍ତି ଦେବା ଲାଗି ବଜାରରେ ଉପଲବ୍ଧ ହେଉଥିବା ଆଣ୍ଟିବାୟୋଟିକ ଏବେ   ପ୍ରଭାବଶୂନ୍ୟ ହେଉଛି । ସିସିୟୁ ଏବଂ ଭେଣ୍ଟିଲେଟରରେ ଥିବା ୨୫% ରୋଗୀଙ୍କ କ୍ଷେତ୍ରରେ ଆଣ୍ଟିବାୟୋଟିକ କାମ ଦେଉନଥିବା ଅଭିଯୋଗ । ୨ରୁ ୫%  ବ୍ୟାକ୍ଟେରିଆ କ୍ଷେତ୍ରରେ ଆଣ୍ଟି ବାୟୋଟିକ୍ କାମ କରିବା ବନ୍ଦ ହୋଇଯାଇଛି । ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ ରିପୋର୍ଟରେ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । 

ଆଣ୍ଟି ମାଇକ୍ରୋବିୟଲ ରେଜିଷ୍ଟାନ୍ସ  ସର୍ଭେଲାନ୍ସ ନେଟୱର୍କ ରିପୋର୍ଟରେ କୁହାଯାଇଛି, ୟୁରିନାରୀ ଟ୍ରାକ୍ ସଂକ୍ରମଣ, ନିମୋନିଆ, ଟାଇଫଏଡ୍ ଏବଂ ରକ୍ତ ସଂକ୍ରମଣ ଭଳି ରୋଗ କ୍ଷେତ୍ରରେ ଆଣ୍ଟି ବାୟୋଟିକ୍ ଏତେଟା ପ୍ରଭାବୀ ହେଉନି । ଦିଲ୍ଲୀ ଏମ୍‌ସର ଜରୁରୀକାଳୀନ ବିଭାଗ ମୁଖ୍ୟ ପ୍ରଫେସର ରାକେଶ ଯାଦବ କହିଛନ୍ତି, ଆଣ୍ଟିବାୟୋଟିକ୍ସ ପ୍ରଭାବ କମିବା ଯୋଗୁ ରୋଗୀଙ୍କୁ ଏବେ ବିଭିନ୍ନ ଆଣ୍ଟି  ବାୟୋଟିକ ଦିଆଯାଉଛି । 

ଏହି ମେଡିସିନ ଗୁଡିକ ୮ରୁ  ୧୦ ଗୁଣ ମହଙ୍ଗା । ସେହିଭଳି ରୋଗୀ ଡାକ୍ତରଖାନାରେ ଅଧିକ ଦିନ ରହୁଥିବାରୁ ଚିକିତ୍ସା ଖର୍ଚ୍ଚ ମଧ୍ୟ ବଢ଼ିଯାଉଛି । ୨୦୦ ଦେଶକୁ ନେଇ ହୋଇଥିବା ଏକ  ଅଧ୍ୟୟନରେ କୁହାଯାଇଛି ଯେ, ଯଦି   ଆଣ୍ଟିବାୟୋଟିକ୍ସ ନିୟନ୍ତ୍ରଣ କରାନଗଲେ ସ୍ଥିତି ବିଗିଡିବ । ୨୦୫୦ ବେଳକୁ ପ୍ରତିବର୍ଷ ୨୦ଲକ୍ଷ ଲୋକ ଆଣ୍ଟିବାୟୋଟିକ ରେଜିଷ୍ଟାନ୍ସ ସମସ୍ୟା ଯୋଗୁ ମୃତ୍ୟୁମୁଖରେ ପଡିବେ ।  

୮୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ  ମେଡିସିନର ରେଜିଷ୍ଟାନ୍ସ ସମ୍ପର୍କିତ ରୋଗ  ଯୋଗୁ ହେବ । ଏବେ ଆଣ୍ଟିବାୟୋଟିକ୍ସର  ବ୍ୟବହାର ବହୁଳ ଭାବେ ହେଉଛି ।  ସାଧାରଣ ଥଣ୍ଡା ଏବଂ କାଶ ପାଇଁ ମଧ୍ୟ  ଏହାର ବ୍ୟବହାର ହେଉଛି । ଏ କ୍ଷେତ୍ରରେ  ଏହାର କୌଣସି ଆବଶ୍ୟକ ନ ଥିଲେ ମଧ୍ୟ  ଆଣ୍ଟିବାୟୋଟିକ ବ୍ୟବହାର ହେଉଥିବା  ନଜରକୁ ଆସୁଛି । ଆଣ୍ଟିବାୟୋଟିକର  ସମ୍ପୂର୍ଣ୍ଣ ଡୋଜ ନ ନେଲେ ମଧ୍ୟ ଏଥିରେ ରେଜିଷ୍ଟାନ୍ସ ସମସ୍ୟା ଉପୁଜିବାର ଢ଼େର  ଆଶଙ୍କା ରହିଛି । 

ଏଭଳି ମେଡିସିନ ଗୁଡିକର  ଅବଧି ଶେଷ ହେବା ପରେ ଏଗୁଡିକୁ  ଖୋଲାରେ ଫୋପାଡି ଦେବା ଫଳରେ ଏହା  ପରିବେଶକୁ ଯାଇ ସେଭଳି ବ୍ୟାକ୍ଟେରିଆ  ବିରୋଧରେ ଶରୀରରେ ରେଜିଷ୍ଟାନ୍ସ  ସମସ୍ୟା ସୃଷ୍ଟି କରେ । ଆଣ୍ଟିବାୟୋଟିକର  ଠିକ୍‌ ବ୍ୟବହାର ଏବଂ ଏହାର ଠିକ୍‌  ପରିଚାଳନା ନେଇ ସରକାରଙ୍କୁ ନୀତିଗତ  ପଦକ୍ଷେପ ନେବାର ଆବଶ୍ୟକତା ରହିଛି  ବୋଲି ବିଶେଷଜ୍ଞ କହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.