ଅଢେଇ ମାସ ପରେ ପୁରୀରେ ଖୋଲୁଛି ହୋଟେଲ୍‌; ଆଜି ୨୫, ପର୍ଯ୍ୟାୟ କ୍ରମେ ଆଉସବୁ

Published By : Prameya-News7 Bureau | June 08, 2020 IST

ପୁରୀ ୦୮।୦୬: ପୁରୀକୁ ଟ୍ରେନ୍‌ ସେବା ଆରମ୍ଭ ହୋଇନି । ବସ୍‌ ଚଳାଚଳ ବି ସ୍ୱାଭାବିକ ହୋଇନି । ଶ୍ରୀମନ୍ଦିରରେ ଲାଗୁ ହୋଇଥିବା ଦର୍ଶନ କଟକଣା ଉଠିନାହିଁ । ତଥାପି ସରକାରୀ ଘୋଷଣା ମୁତାବକ ସୋମବାର ଠାରୁ ପୁରୀରେ ହୋଟେଲ ଶିଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଆଜିଠାରୁ ପୁରୀରେ କିଛି ହୋଟେଲ୍‌ ଖୋଲିବାକୁ ଅନୁମତି ମିଳିଛି ।

ପୁରୀ ହୋଟେଲ ମାଲିକ ସଂଘ ସୂଚନା ଦେଇଛି ବର୍ତ୍ତମାନ ସୁଦ୍ଧା ବୁକିଂ ସ୍ୱାଭାବିକ ହୋଇନାହିଁ । କହିବାକୁ ଗଲେ ଜିରୋ ବୁକିଂରେ ଆମେ ହୋଟେଲ ଖୋଲିବାକୁ ଯାଉଛୁ । ସୋମବାର ପୁରୀର ଅନ୍ୟୂନ ୨୫ଟି ହୋଟେଲ ଖୋଲିବାକୁ ସମ୍ମତି ଦେଇଛନ୍ତି । ପର୍ଯ୍ୟାୟ କ୍ରମେ ଅନ୍ୟ ହୋଟେଲ ସବୁ ଖୋଲିବାକୁ ଆମେ ପ୍ରସ୍ତୁତି ଚଳାଇଛୁ । ଲୋକଙ୍କୁ ହୋଟେଲ ଖୋଲିବାର ବାର୍ତ୍ତା ଦେବାକୁ ଏହା ଜରୁରି ବୋଲି ପୁରୀ ହୋଟେଲ ମାଲିକ ସଂଘର ସାଧାରଣ ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି ।

ଅଢ଼େଇ ମାସ ଧରି ବନ୍ଦ ରହିବାରୁ ହୋଟେଲ ଶିଳ୍ପ ବିପୁଳ କ୍ଷତିର ସମ୍ମୁଖୀନ ହୋଇଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ହୋଟେଲ ଶିଳ୍ପର ପୁନରୁଦ୍ଧାର ପାଇଁ ଆମେ ଅନେକ ଦାବି ତଥା ପ୍ରସ୍ତାବ ଦେଇଛୁ । କେବଳ ଶହେ କର୍ମଚାରୀ କାମ କରୁଥିବା ହୋଟେଲର କର୍ମଚାରୀଙ୍କୁ ଭବିଷ୍ୟନିଧି ଜମାର ଶତକଡା ୨୫ ସରକାର ବହନ କରିବାକୁ ସମ୍ମତି ଦେଇଛନ୍ତି । ହୋଟେଲ ସମୂହର ବିଜୁଳି ଖର୍ଚ୍ଚ, ବାର ଲାଇସେନ୍ସ ଫି, ବିନା ସୁଧ କିମ୍ବା କମ୍‌ ସୁଧରେ ବ୍ୟାଙ୍କ ଋଣ, ହୋଟେଲ ଲାଇସେନ୍ସ ଫି ଛାଡ଼ ଆଦି ବ୍ୟତୀତ ଏକକାଳୀନ ଆର୍ଥିକ ସହାୟତା ଘୋଷଣା କରିବାକୁ ରାଜ୍ୟର ହୋଟେଲ ସମୂହ କରିଥିବା ଦାବି ପ୍ରତି ଧ୍ୟାନ ଦିଆଯାଇ ନାହିଁ । ଏହାସତ୍ତେ୍ୱ ହୋଟେଲ ଶିଳ୍ପର ସୁରକ୍ଷା ଦୃଷ୍ଟିରୁ ଆମେ ହୋଟେଲ ଖୋଲିବାକୁ ପଡିଛି । ଆମେ ଆଶା କରୁଛୁ କିଛି ଦିନ ମଧ୍ୟରେ ପୁରୀରେ ହୋଟେଲ ଶିଳ୍ପ ସ୍ୱାଭାବିକ ସ୍ଥିତିକୁ ଫେରି ବୋଲି ସଂଘ ଆଶା କରୁଛି ।

ସଂଘ ସୂତ୍ରରୁ ପ୍ରକାଶ ପୁରୀରେ ଛୋଟ ବଡ଼ ୯୦୦ ହୋଟେଲ ରହିଛି । ଏସବୁ ହୋଟେଲରେ ୧୦ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି । କିଛି ବଡ଼ ବଡ଼ ହୋଟେଲ କର୍ମଚାରୀଙ୍କୁ ଶତକଡ଼ା ୪୦ରୁ ୫୦ ଭାଗ ଦରମା ଦେଇ ଲକ୍‌ଡାଉନ୍‌ରେ ଚଳାଇଛନ୍ତି । ଅଧିକାଂଶ ଛୋଟ ହୋଟେଲ କର୍ମଚାରୀଙ୍କୁ ଦରମା ଦେଇ ନାହାନ୍ତି । କିଛି ଛୋଟ ହୋଟେଲ କର୍ମଚାରୀଙ୍କୁ ଛଟେଇ ବି କରି ଦେଇଛନ୍ତି । ଏହି ହୋଟେଲଗୁଡିକ ହୋଟେଲ ମାଲିକ ସଂଘ ସହ ସହବନ୍ଧିତ ନୁହନ୍ତି । ଏହି ହୋଟେଲଗୁଡିକୁ ମଧ୍ୟ ସହାୟତା ଦରକାର ।

ବିଶେଷ କରି ଭିତ୍ତିଭୂମି ଏବଂ ପୁରୀକୁ ଟୁରିଷ୍ଟ ସଂଖ୍ୟା ବୃଦ୍ଧି କରିବାକୁ ସରକାରୀ କଳର ସହାୟତା ଜରୁରି ରହିଛି । ଏବେ ପୁରୀକୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରୁନାହିଁ । ସେହିଭଳି କୋଣାର୍କ, ଚିଲିକାକୁ ଟୁରିଷ୍ଟ ଆସିବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମିର ବିକାଶ ଜରୁରି ରହିଛି । ତା ନହେଲେ ଅର୍ଥ ଖର୍ଚ୍ଚ କରି ଟୁରିଷ୍ଟ ପୁରୀ ଆସିବ ନାହିଁ । ସର୍ବୋପରି ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ରହିଥିବା କଟକଣାକୁ ପ୍ରତ୍ୟାହାର କରାନଯିବା ଯାଏ ହୋଟେଲ ଶିଳ୍ପ ଉଧେଇ ପାରିବ ନାହିଁ ବୋଲି ହୋଟେଲ ମାଲିକମାନେ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.