ନୂଆଦିଲ୍ଲୀ, ୨୫/୦୧: ଆମେରିକାରେ ଗୁଳିମାଡ଼ରେ ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ। ମଙ୍ଗଳବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚିକାଗୋ ସହରରେ ଏକ ସଶସ୍ତ୍ର ଡକାୟତି ସମୟରେ ଗୁଳିମାଡ଼ରେ ଜଣେ ଭାରତୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ଭାରତୀୟ ଯୁବକଙ୍କ ନାମ ଦେବଶିଷ। ରବିବାର ସନ୍ଧ୍ୟାରେ ପ୍ରିନ୍ସଟନ୍ ପାର୍କ ନିକଟରେ ଏହି ଗୁଳିମାଡ଼ ହୋଇଥିବା କହିଛି ଚିକାଗୋ ପୋଲିସ୍।
ରିପୋର୍ଟ ଅନୁଯାୟୀ, ଦେବଶିଷଙ୍କ ବାହୁରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କ୍ରିଷ୍ଟ ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ସୂଚନା ଅନୁଯାୟୀ ଦେବଶିଷ ନାନପେଡୁ ଏବଂ ଅନ୍ୟ ଜଣେ ୨୨ ବର୍ଷୀୟ ଯୁବକ ରବିବାର ସନ୍ଧ୍ୟାରେ ପାର୍କିଂ ନିକଟରେ ଛିଡ଼ା ହୋଇଥିଲେ। ଏହି ସମୟରେ ଏକ କଳାରଙ୍ଗର ଗାଡ଼ିରୁ ଦୁଇ ଜଣ ଦୁର୍ବୁତ୍ତ ଓହ୍ଲାଇ ସେମାନଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ଆଉ ଏହି ସମୟରେ ସେମାନଙ୍କ ଉପରକୁ ଗୁଳିଚଳାଇଥିଲେ ।
ତେବେ ଗୁଳିମାଡ଼ର ଶିକାର ହୋଇଥିବା ଅନ୍ୟ ଜଣେ ଯୁବକଙ୍କ ଛାତି ପାଖରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ୟୁନିଭର୍ସିଟି ଅଫ୍ ଚିକାଗୋ ମେଡିକାଲ କଲେଜ୍ ସେଣ୍ଟରରେ ଭର୍ତ୍ତି କରାଯାଇଛି ତାଙ୍କର ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତେବେ ଏହି ଘଟଣାରେ କୌଣସି ଗିରଫଦାରୀ ହୋଇନାହିଁ।