ନୂଆଦିଲ୍ଲୀ: ସବୁଥର ପରି ଏଥର ବି ଗଣତନ୍ତ୍ର ଦିବସରେ ଜଲସିବ ବିଭିନ୍ନ ରାଜ୍ୟରେ କଳା ସଂସ୍କୃତି । ପ୍ରଦର୍ଶିତ ହେବ ୧୭ଟି ରାଜ୍ୟର ପ୍ରଜ୍ଞାପନୀ ମେଢ଼। ପଶ୍ଚିମବଙ୍ଗ, ଆସାମ, ଜାମ୍ମୁ-କାଶ୍ମୀର ଭଳି କେନ୍ଦ୍ରଶାସିତ ରାଜ୍ୟରେ ପ୍ରଜ୍ଞାପନୀ ମେଢ଼ ଦେଖିବାକୁ ମିଳିବ। ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟପଥରେ ଏହି ମେଢ଼ମାନେ ନିଜ ଅଞ୍ଚଳର ସଂସ୍କୃତିକୁ ପ୍ରଦର୍ଶନ କରିବେ। ଏଥିରେ ବିଭିନ୍ନ ମନ୍ତ୍ରାଳୟର ୬ଟି ମେଢ ବି ପ୍ରଦର୍ଶିତ ହେବ। ଏହିସବୁ ମେଢ ଦେଶର ଉଚ୍ଚତମ ସଂସ୍କୃତିକୁ ସହ ଅର୍ଥନୀତିର ଅଭିବୃଦ୍ଧି ଓ ଦେଶରେ ଉଭୟ ଭିତରେ ଓ ବାହାରେ ମଜଭୁତ ସୁରକ୍ଷା ବ୍ୟବସ୍ଥାର ଝଲକ ଦେଖିବାକୁ ମିଳିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
ଯେଉଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମେଢ଼ଗୁଡ଼ିକ ପ୍ରଦର୍ଶିତ ହେବ ସେମାନେ ହେଲେ- ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ପଶ୍ଚିମବଙ୍ଗ, ଜାମ୍ମୁକାଶ୍ମୀର, ଲଦାଖ,ଦାଦର ନାଗର ହାବେଳି ଏବଂ ଡାମନ ଆଣ୍ଡ ଡ୍ୟୁ, ଗୁଜୁରାଟ, ହରିୟାଣା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ,ଝାରଖଣ୍ଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ,ତାମିଲ ନାଡୁ, କର୍ଣ୍ଣାଟକ ଏବଂ କେରଳ। ସେହିପରି ସଂସ୍କୃତି ମନ୍ତ୍ରାଳୟ, ଗୃହ ବ୍ୟାପାର ମନ୍ତ୍ରାଳୟର ସେଣ୍ଟ୍ରାଲ ଆର୍ମ୍ଡ ପୁଲିସ ଫୋର୍ସ ଓ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ, ଗୃହ ଓ ସହର ବ୍ୟାପାର(ସେଣ୍ଟ୍ରାଲ ପବ୍ଲିକ ୱାର୍କ ଡିପାର୍ଟମେଣ୍ଟ), ଜନଜାତି ଓ କୃଷି ଓ କୃଷକ ମଙ୍ଗଳ(ଇଣ୍ଡିଆନ କାଉନସିଲ ଏଗ୍ରିକଲଚର ରିସର୍ଚ୍ଚ)ର ପ୍ରଜ୍ଞାପନୀ ମେଢ଼ ପ୍ରଦର୍ଶିତ ହେବ। ଗତ କିଛି ବର୍ଷ ଭିତରେ ଏହିସବୁ ମନ୍ତ୍ରାଳୟଗୁଡ଼ିକରେ କଣ ସବୁ ବିକାଶ ହୋଇଛି,ତାହା ଏହିସବୁ ମେଢରେ ପ୍ରଦର୍ଶିତ ହେବ।
ପ୍ରଦର୍ଶିତ ହେବାକୁ ଥିବା ମେଢ଼ଗୁଡ଼ିକୁ ଜୋନାଲ ସ୍ତରୀୟ ଭାବରେ ଚୟନ କରାଯାଇଥିଲା। ଏହିସବୁ ଅଞ୍ଚଳଗୁଡ଼ିକ ୬ଟି ଜୋନ୍ରେ ଭାଗ କରାଯାଇଥିଲା। ଉତ୍ତରଜୋନ, କେନ୍ଦ୍ରୀୟ ଜୋନ, ପୂର୍ବ ଜୋନ, ପଶ୍ଚିମ ଜୋନ, ଦକ୍ଷିଣାଞ୍ଚଳ ଜୋନ ଏବଂ ଉତ୍ତର ଜୋନ। ସାଧାରଣତଃ ଅନୁପାତ ଅନୁସାରେ, ପାଖାପାଖି ୧୫ ପ୍ରଜ୍ଞାପନୀ ମେଢ଼ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପରେଡ୍ ପାଇଁ ଚୟନ କରାଯାଇଥାଏ। ଏଥର କିନ୍ତୁ ୧୭ଟି ମେଢ଼ ଚୟନ କରାଯାଇଛି।
ଗଣତନ୍ତ୍ର ଦିବସରେ କେଉଁ ମେଢ଼ଗୁଡ଼ିକ ପ୍ରଦର୍ଶିତ ହେବ ତାକୁ ପ୍ରଥମେ ଚୟନ କରାଯାଇଥିଲା। ବିଶେଷଜ୍ଞଙ୍କ ସହ ଆବେଦନ କରିଥିବା ରାଜ୍ୟଗୁଡ଼ିକର ପ୍ରତିନିଧି ଦଳ ଆଲୋଚନା କରିଥିଲେ। ନିଜ ନିଜ ମେଢ଼ ସମ୍ପର୍କରେ ପ୍ରେଜେଣ୍ଟେସନ୍ ଦେଇଥିଲେ। ଏହାପରେ ଚୟନ କମିଟି ମେଢ଼ଗୁଡ଼ିକର ସିଲେକ୍ସନ କରିଥିଲା।