ନିଆଳି ପରେ କେନ୍ଦ୍ରାପଡ଼ାରେ ଅଜଣା ଜନ୍ତୁ ଆତଙ୍କ

Published By : Prameya-News7 Bureau | August 30, 2018 IST

କେନ୍ଦ୍ରାପଡା ୩୦/୮ : ନିଆଳି ପରେ ଏବେ କେନ୍ଦ୍ରାପଡ଼ା ମେଣ୍ଢାଙ୍କ ଉପରେ ପଡିଛି ଅଜଣା ଜନ୍ତୁଙ୍କ ଆଖି | କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ମଙ୍ଗଳପୁର ଗାଁରେ ତିନି ଦିନ ମଧ୍ୟରେ ୨୫ ଟି ମେଣ୍ଢା ଙ୍କ ଜୀବନ ନେଲାଣି ଅଜଣା ଜନ୍ତୁ| ରାତିରେ ଜାଲ ଛିଣ୍ଡାଇ ମେଣ୍ଢା ମାରି ପକାଉଛି ଏହି ଜନ୍ତୁ | କଟକ ଜିଲା ନିଆଳି ମେଣ୍ଢା ମଡକ ଘଟଣା ମନରୁ ଲିଭିନଥିବା ବେଳେ ଏବେ ପାଳି ପଡ଼ିଛି କେନ୍ଦ୍ରାପଡ଼ା ମେଣ୍ଢାଙ୍କର | ବିଳମ୍ବିତ ରାତ୍ରିରେ ନିର୍ଜନତାର ସୁଯୋଗ ନେଇ ଏକ ଅଜଣା ଜନ୍ତୁ ଗୁହାଳରେ ପଶି ମେଣ୍ଢା କୁ ଆକ୍ରମଣ କରୁଛି | ଗତ ରାତିରେ ଏହି ଗାଁର ଦେବାଶିସ୍ ଭୂୟାଁଙ୍କ ଗୁହାଳ ରେ ୩ ଗୋଟି ମେଣ୍ଢାକୁ ଆକ୍ରମଣ କରି ଅଜଣା ଜନ୍ତୁ ମାରି ଦେଇଛି | ଜନ୍ତୁଟି ମେଣ୍ଢାର କାନ ମୂଳ ଏବଂ ପେଟରେ କ୍ଷତ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି | ତେବେ ଗତ ୨୭ ତାରିଖ ରାତିରେ ୧୬ ଗୋଟି ଓ ୨୮ ତାରିଖରେ ୬ ଗୋଟି ମେଣ୍ଢା ଦେବାଶିସ୍ ଙ୍କ ଗୁହାଳରେ ମରି ପଡିଥିବା ସେ ଦେଖିବାକୁ ପାଇଥିଲେ| ପ୍ରଥମ ରାତିରେ ୧୬ ଗୋଟି ମେଣ୍ଢାକୁ ମାରିବା ପରେ ଦେବାଶିସ୍ ନିଜ ଗୁହାଳରେ ଜାଲି ଘେରାଇ ମେଣ୍ଢା ଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ | କିନ୍ତୁ ଅଜଣା ଜନ୍ତୁ ଜାଲି ଛିଣ୍ଡାଇ ମେଣ୍ଢା ଙ୍କୁ ମାରି ପକାଇଲା | ଅନ୍ୟପକ୍ଷରେ ନିକଟରେ ବିରୁପା ନଦୀ ରହିଥିବା ବେଳେ ନଦୀକୁଳିଆ ଜଙ୍ଗଳରୁ କୌଣସି ଅଜଣା ଜନ୍ତୁ ଯେମିତିକି ଗଧିଆ ଅଥବା ହେଟା ମେଣ୍ଢାକୁ ଆକ୍ରମଣ କରି ଥାଇପାରେ ବୋଲି ସ୍ଥାନୀୟ ପ୍ରାଣୀ ଧନ ନିରୀକ୍ଷକ କହିଛନ୍ତି | ସମ୍ପୃକ୍ତ ଚାଷିଙ୍କୁ ମୃତ ମେଣ୍ଢାଙ୍କ କ୍ଷତି ପୂରଣ ଦେବା ସହିତ ଅଜଣା ଜନ୍ତୁକୁ ଠାବ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.