CAA ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ୨୨ଜଣଙ୍କ ମୃତ୍ୟୁ, ଏବେବି ୩୨୨ଜଣ ଜେଲ୍‌ରେ : ୟୁପି ସରକାର

Published By : Prameya-News7 Bureau | February 18, 2020 IST

ପ୍ରୟାଗରାଜ ୧୮।୨: ଉତ୍ତରପ୍ରଦେଶ ସରକାର ଆଲାହାବାଦ କୋର୍ଟଙ୍କୁ କହିଛନ୍ତି ଯେ, ୨୦ ଏବଂ ୨୧ ଡିସେମ୍ବର ୨୦୧୯ରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ୨୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୩ ଜଣ ଆହତ ହୋଇଥିଲେ । ଏହାସହ ୮୮୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୫୬୧ଜଣଙ୍କୁ ଜାମିନ୍ ମିଳିସାରିଛି । ବର୍ତ୍ତମାନ ୩୨୨ ଜଣ ଜେଲ୍ ରେ ଅଛନ୍ତି । ଆଡଭୋକେଟ୍ ଜେନେରାଲ ମନୀଷ ଗୋୟଲ କୋର୍ଟଙ୍କୁ କହିଛନ୍ତି ଯେ,

ଉତ୍ତରପ୍ରଦେଶରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ କରାଯାଇଥିବା ଆବେଦନ ଉପରେ ଶୁଣାଣି ବେଳେ ସରକାର ଏଭଳି ତଥ୍ୟ ପ୍ରଦାନ କରିଛନ୍ତି । ବିକ୍ଷୋଭ ସମୟରେ ୪୫ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ ।

ମନୀଷ ଗୋୟଲ ଆହୁରି କହିଛନ୍ତି ଯେ, ବିକ୍ଷୋଭ ବେଳେ ଆହତ ହୋଇଥିବା ସମସ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା । ପୋଲିସ କର୍ମଚାରୀଙ୍କ ବିରୋଧରେ ମୋଟ୍ ୧୦ଟି ଅଭିଯୋଗ ଆସିଛି ଯାହାର ବିବେଚନା କରାଯାଉଛି । ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ କର୍ମଚାରୀ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଯାହା ଫଳରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଗୁରୁତର ହୋଇଛନ୍ତି । ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ଅନ୍ୟାୟପୂର୍ଣ୍ଣ ଏବଂ ଆନ୍ଦୋଳନକାରୀଙ୍କ ମୌଳିକ ଅଧିକାରର ଉଲଂଘନ । ଆବେଦନରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଆହତ ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇନଥିଲା ।  ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ସେମାନଙ୍କ ପରିବାରଲୋକଙ୍କ ନିକଟରେ ପହଞ୍ଚିନାହିଁ ।

ସୂଚନାଯୋଗ୍ୟ ଯେ, ମୁଖ୍ୟବିଚାରପତି ଗୋବିନ୍ଦ ମାଥୁର ଏବଂ ବିଚାରପତି ସିଦ୍ଧାର୍ଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ଏବଂ ରାଜ୍ୟ ସରକାର ଉଭୟଙ୍କୁ ନିଜ ନିଜ ଶପଥପାଠ ଏବଂ ନଥିପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୧୮ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.