ଏକନାଥ ସିନ୍ଦେଙ୍କ ଶିବସେନା ଛାଡିବାକୁ ଚାହୁଁଛନ୍ତି ୨୨ ବିଧାୟକ ଓ ୯ ସାଂସଦ: UBT
30/05/2023 at 5:55 PM

ମୁମ୍ବାଇ ୩୦।୫: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଛାଡିବାକୁ ଚାହୁଁଛନ୍ତି ୨୨ ବିଧାୟକ ଓ ୯ ସାଂସଦ। ଶିବ ସେନା (ଉଦ୍ଧବ ବାଲାସାହେବ ଠାକରେ) ସାଂସଦ ବିନାୟକ ରାଉତ ଏହି ଚାଞ୍ଚଲ୍ୟକର ଦାବି କରିଛନ୍ତି। ଏହି ବିଧାୟକ ଓ ସାଂସଦମାନେ ଅସନ୍ତୁଷ୍ଚ ଅଛନ୍ତି ଓ ଦଳ ଛାଡିବାକୁ ପ୍ରସ୍ତୁତି କରୁଛନ୍ତି ବୋଲି ସେ କହିଛନ୍ତି। କଥା କେବଳ ଏତିକିରେ ସୀମିତ ନାହିଁ ୧୩ରୁ ୯ ଜଣ ସାଂସଦ ଏଥିଲାଗି ୟୁବିଟି ସହ ସମ୍ପର୍କରେ ଥିବା ସେ ଦାବି କରିଛନ୍ତି।
ରାଉତ କହିଛନ୍ତି ଯେ ସାଂସଦମାନେ ସିନ୍ଦେ ସେନାକୁ ନେଇ ଏବେ ସମସ୍ୟାରେ ପଡି ଯାଇଛନ୍ତି। କାରଣ ସେମାନଙ୍କ ସଂସଦୀୟ ଅଞ୍ଚଳରେ ବିକାଶମୂଳକ କାମ ହେଉ ନଥିବା ବେଳେ ସେମାନଙ୍କ କଥା ମଧ୍ୟ ଶୁଣା ଯାଉ ନାହିଁ। ସିନ୍ଦେ ସେନା ସାଂସଦ ଗଜାନନ କୀର୍ତ୍ତିକର କିଛି ଦିନ ପୂର୍ବେ ଏନଡିଏ ସରକାରଙ୍କ ଅଂଶୀଦାର ହୋଇଥିଲେ ହେଁ ଶିବସେନା ପ୍ରତି ବିଜେପି ସାବତ ବ୍ୟବହାର କରୁଥିବା ନେଇ ଅଭିଯୋଗ କରିବା ପରେ ପରେ ରାଉତ ଏହି ଦାବି କରିଛନ୍ତି।

କୀର୍ତ୍ତିକର କହିଥିଲେ ଯେ ଶିବସେନା ପୁଣି ଥରେ ବିଜେପି ନେତୃତ୍ୱାଧୀନ ଏନଡିଏର ଅଂଶୀଦାର ହୋଇଛି ତେଣୁ ସାଂସଦମାନଙ୍କ କାମ ସେହି ଅନୁସାରେ ହେବା ଦରକାର। ହେଲେ ହୋଇ ପାରୁ ନାହିଁ। ଏଥିରେ ବିନାୟକ ରାଉତ କହିଛନ୍ତି ଯେ ମନ୍ତ୍ରୀ ଶମ୍ଭୁରାଜ ଦେଶାୟୀ ପ୍ରାୟ ୧୫ ଦିନ ପୂର୍ବେ ଉଦ୍ଧବ ଠାକରେଙ୍କୁ ଏକ ବାର୍ତ୍ତା ପଠାଇଥିଲେ। ଏଥିରେ ସେ କିପରି ଅଣ ନିଶ୍ୱାସୀ ଅନୁଭବ କରୁଛନ୍ତି ତାହା ଜଣାଇଥିଲେ।
ତେବେ ଦେଶାୟୀ ଏପରି କୌଣସି ବାର୍ତ୍ତା ପଠାଇଥିବା କଥାକୁ ଅସ୍ୱୀକାର କରିଛନ୍ତି ଓ ରାଉତଙ୍କୁ ତାଙ୍କ ବୟାନ ଲାଗି କ୍ଷମାପ୍ରାର୍ଥନା କରିବାକୁ କହିଛନ୍ତି। ଏଥି ଲାଗି ସେ ରାଉତଙ୍କୁ ଦୁଇ ଦିନିଆ ନୋଟିସ୍ ଦେଇଛନ୍ତି ଓ ଏହି ସମୟରେ ସେ ନିସର୍ତ୍ତ କ୍ଷମା ଯାଚନା ନ କଲେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବେ ବୋଲି କହିଛନ୍ତି। ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ଶିବସେନା ୨୦୧୯ରେ ଏନଡିଏରୁ ବାହାରିଯାଇଥିଲା।
ତେବେ ଗତବର୍ଷ ପାର୍ଟିରେ ଫାଟ ଯୋଗୁ ଏକ ନାଥ ସିନ୍ଦେ ବିଜେପି ସହିତ ହାତ ମିଳାଇଥିଲେ। ବିଜେପି ସମର୍ଥନରେ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ବିଧାନସଭା ନିର୍ବାଚନକୁ ବିଜେପି ଓ ଶିବସେନା ମେଣ୍ଟ କରି ଲଢିଥିଲେ। ତେବେ ନିର୍ବାଚନ ଫଳାଫଳ ଆସିବା ପରେ ଉଦ୍ଧବ ବିଜେପିକୁ ସମର୍ଥନ କରିନଥିଲେ। ଫଳରେ ବିଜେପିର ସରକାର ଆଶା ମଉଳି ଯାଇଥିଲା।