ବିଜେପି-କଂଗ୍ରେସ କର୍ମୀ ହାତାହାତି, ରକ୍ତରେ ଭିଜିଲା ରାସ୍ତା, ବାପ ଓ ପୁଅ ମୃତ: ୨୨ ଜଣ ଅଟକ

Published By : Prameya-News7 Bureau | December 09, 2020 IST

ଜୟପୁର ୦୯/୧୨: ରାଜସ୍ଥାନର ସିକର ଜିଲ୍ଲା​‌​ରେ ବିଜେପି-କଂଗ୍ରେସ ମଧ୍ୟରେ ହୋଇଥିବା ରାଜନୈତିକ ହିଂସାରେ ୨୨ ଜଣଙ୍କୁ ଅଟକ ରଖିଛି ପୋଲିସ। ମଙ୍ଗଳବାର ହୋଇଥିବା ଏହି ଗୋଷ୍ଠୀ ସଂଘର୍ଷରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୦ ଜଣ ଆହତ ହୋଇଥିଲେ । ଏହା ପରେ ପୋଲିସ ସଂଘର୍ଷରେ ସାମିଲ ୨୨ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ପଞ୍ଚାୟତ ସମିତି ନିର୍ବାଚନରେ ବିଜୟ ଲାଭ କରିଥିବା ବିଜେପି ପ୍ରାର୍ଥୀ ରୁବିନା ଖାନଙ୍କ ପାଇଁ ପାର୍ଟି ପକ୍ଷରୁ ଏକ ବିଜୟ ଶୋଭାଯାତ୍ରା କରାଯାଇଥିଲା। ବାଲୁଦ ବାଡ଼ି ଗାଁରେ ପ୍ରୋସେସନ୍‌ ହେଉଥିବା ବେଳେ ସେଥିରେ ସାମିଲ କିଛି ବିଜେପି କର୍ମୀ ଜଣେ ବ୍ୟକ୍ତିଙ୍କୁ ଏକୁଟିଆ ପାଇ ମାଡ଼ ମାରିଥିଲେ ବୋଲି ସିକର ଜିଲ୍ଲାର ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ବ୍ୟକ୍ତିଙ୍କୁ ମାଡ଼ ହେଉଥିବା ଦେଖି ତାଙ୍କ ସମର୍ଥକ ତଥା କଂଗ୍ରେସ କର୍ମୀ ବାହାରିଥିଲେ। ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା ବୋଲି ଜଣାପଡ଼ିଛି।

ଗୋଷ୍ଠୀ ସଂଘର୍ଷରେ ବାଡ଼ି, ପଥର ବ୍ୟବହାର ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲା। କିନ୍ତୁ ଭିଡ଼ର ଆକ୍ରମଣରେ ୩୫ ବର୍ଷୀୟ କହ୍ନେୟାଲାଲ ଓ ତାଙ୍କ ୫୭ ବର୍ଷୀୟ ବାପା ପ୍ୟାରେଲାଲ୍‌ ଗୁରୁତର ହୋଇଥିଲେ । ଏହା ସହ ୧୦ ଅନ୍ୟ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ହସ୍ପିଟାଲ ପହଞ୍ଚିବା ବେଳେକୁ କହ୍ନେୟାଲାଲଙ୍କ ମୃତ୍ୟୁ ହୋଇସାରିଥବା ବେଳେ ତାଙ୍କ ବାପା ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ।

ଏହି ଘଟଣାରେ ଏବେ ସୁଦ୍ଧା ୨୨ ଜଣଙ୍କୁ  ଅଟକ ରଖାଯାଇଛି। ଘଟଣା ସମ୍ପର୍କରେ ସମସ୍ତ ପ୍ରମାଣ ଯୋଗାଡ଼ କରାଯାଉଛି ବୋଲି ସିକର ଏସ୍‌ପି ଗଗନଦୀପ ସିଙ୍ଗଲା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.