ବିହାରର ୨୧ବର୍ଷର ଝିଅ ବେବି ହେଲା କାନାଡ଼ା ହାଇ କମିଶନର: ଜାଣନ୍ତୁ କିପରି

Published By : Prameya-News7 Bureau | October 13, 2018 IST

ବିହାର ୧୩/୧୦: ବିହାରର ଜମୁଇ ଜିଲ୍ଲାର ଝିଅ ବେବି ଗୋଟିଏ ଦିନ ନିମନ୍ତେ କାନାଡ଼ା ହାଇ କମିଶନର ପଦ ସମ୍ଭାଳିଲେ। ତାଙ୍କୁ ଆର୍ନ୍ତଜାତୀୟ ବାଳିକା ଦିବସରେ ଏହି ପଦ ସମ୍ଭାଳିବାର ସୁଯୋଗ ମିଳିଥିଲା। ତାଙ୍କ ଏହି ସଫଳତାକୁ ନେଇ ବିହାରବାସୀ ଗର୍ବିତ। ବିହାରର ଜମୁଇ ଜିଲ୍ଲାରେ ରହୁଥିବା ବେବିଙ୍କୁ ଆର୍ନ୍ତଜାତୀୟ ବାଳିକା ଦିବସ ଅବସରରେ ଗୋଟିଏ ଦିନ ନିମନ୍ତେ କାନାଡ଼ାରେ ହାଇ କମିଶନର ପଦରେ ନିଯୁକ୍ତ କରାଯାଇଥିଲା। ଏହା ସଂପୂର୍ଣ୍ଣ ଏପରି ଥିଲା ଯେପରି ଅନିଲ କପୁରଙ୍କୁ ନାୟକ ଫିଲ୍ମରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ବେବି କେବେ ଭାବିନଥିଲେ ଯେ ତାଙ୍କ ଜୀବନରେ ଏପରି ଏକ ଦିନ ଆସିବ। ବେବିଙ୍କ ପୁରା ନାଁ ବେବି କୁମାରୀ ଏବଂ ତାଙ୍କ ବୟସ ୨୧ବର୍ଷ। ବେବି ତାଙ୍କ ନିଜ ଗାଁ ଏବଂ ଆଖପାଖ ଅଞ୍ଚଳରେ ବାଳିକାମାନଙ୍କ ଶିକ୍ଷା ସମ୍ବନ୍ଧୀୟ,ଆର୍ଥିକ ଏବଂ ସାମାଜିକ ବିକାଶ ନିମନ୍ତେ ଅନେକ କାମ କରିଛନ୍ତି। ଏହା ସହିତ ବେବି ଗୁଜୁରାଟରେ ବିହାର ଏବଂ ଉତ୍ତରପ୍ରଦେଶ ଲୋକଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଯଦି ଆମ ରାଜ୍ୟରେ ଏହିପରି ସୁବିଧା ମିଳିବ ତେବେ ଆମ ସମସ୍ତଙ୍କୁ ଅନ୍ୟ କୈାଣସି ରାଜ୍ୟକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ। କାନାଡ଼ାର ହାଇ କମିଶନର ହେବା ପରେ ସେ କହିଛନ୍ତି ଯେ ସେ କେବେ କାନାଡ଼ା ଯାଇନାହାନ୍ତି କିନ୍ତୁ ୟୁଟୁବରେ ଦେଖିଛନ୍ତି। ଏହା ଏକ ଅତ୍ୟନ୍ତ ସୁନ୍ଦର ଦେଶ। ମିଳିଥିବା ସୂଚନା ଅନୁସାରେ ବେବିଙ୍କୁ ୧୭ବର୍ଷ ବୟସରେ ବାହାଘର କରିଦିଆଯାଉଥିଲା ଯାହାକୁ ସେ ନିଜେ ଏକୁଟିଆ ରୋକିଥିଲେ। ସେ ବାଲ୍ୟ ବିବାହର ବିରୋଧୀ। ବେବି ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି। ତାଙ୍କ ବାପା ଜଣେ ଚାଷୀ। ସାଢ଼େ ଚାରି ଫୁଟର ବିଏ ପ୍ରଥମ ବର୍ଷ ଛାତ୍ରୀ ବେବିଙ୍କ ଉଚ୍ଚାକାଂକ୍ଷା ଯୋଗୁଁ ତାଙ୍କୁ ୨୦୧୬ମସିହାରେ ଭାଗଲପୁର ଗ୍ରାମ ସମୁଦାୟରେ ନେତ୍ରୀ ହିସାବରେ ବଛା ଯାଇଥିଲା। ବେବିଙ୍କ କହିବା ଅନୁସାରେ ବର୍ତ୍ତମାନ ତାଙ୍କ ଗାଁର ଝିଅମାନେ କେବଳ ଯେ ଲେଖା ପଢ଼ା କରୁଛନ୍ତି ତାନୁହେଁ ବରଂ ସେମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ପାରୁଛନ୍ତି। କାନାଡ଼ାର ହାଇ କମିଶନର ରହିବା ସଙ୍ଗେ ସଙ୍ଗେ ବେବି ଗୁରୁଗ୍ରାମରେ ଏକ ବିଦ୍ୟାଳୟରେ ଯାଇଥିଲେ। ଏଠାରେ ସେ ଦେଶରେ ବାଳିକାମାନଙ୍କର ସ୍ଥିତି ଉପରେ ଚର୍ଚ୍ଚା କରିଥିଲେ। ସନ୍ଧ୍ୟାରେ ସେ ଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ଅଂଶଗ୍ରହଣ କରି ବାଳିକାମାନଙ୍କୁ ଅନୁପ୍ରାଣିତ କରିଥିଲେ। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଅନିଲ କପୁର ଯୋଗ ଦେଇଥିଲେ କିନ୍ତୁ ସମସ୍ତଙ୍କ ନଜର ବେବିଙ୍କ ଉପରେ ଥିଲା। ସେଠାରେ ବେବିଙ୍କ ଭଳି ଅନ୍ୟ ଦେଶରୁ ୧୮ଜଣ ଯୁବତୀ ରାଜଦୂତ ହୋଇ ଆସିଥିଲେ। ଏହି ସମାରୋହର ଥିମ୍ ଥିଲା ‘ହମ୍ ବରାବର ହେଁ’। ନକ୍ସଲ ପ୍ରଭାବିତ ଅଞ୍ଚଳ ଟିଟହିଆଁ ବାସିନ୍ଦା କାରୁ ରାୟଙ୍କ ଝିଅ ବେବି ଗତ ଗୁରୁବାର କାନାଡ଼ାର ହାଇ କମିଶନର ପଦ ସମ୍ଭାଳିଥିଲେ। ଏହି ସମୟରେ ସେ ଭାରତ ସରକାର ଏବଂ କାନାଡ଼ାର ଉଚ୍ଚାୟୁକ୍ତଙ୍କୁ ସମୁଦାୟ ୩ଟି ପ୍ରଶ୍ନ ପଚାରିଥିଲେ। ସେ ଝିଅମାନଙ୍କର ଗୁଣାତ୍ମକ ଶିକ୍ଷା,ସୁରକ୍ଷା ଏବଂ ନିୟୋଜନର ପ୍ରଶ୍ନ ଉଠାଇଥିଲେ। ଭାରତରୁ କାନାଡ଼ା ପହଞ୍ଚୁଥିବା ବେକାର ଲୋକମାନଙ୍କୁ ଶିକ୍ଷାର ଆଧାରରେ ଚାକିରି ନମିଳିବାର ପ୍ରଶ୍ନ ଉଠାଇ ସମସ୍ତଙ୍କୁ ହତବାକ୍ କରି ଦେଇଥିଲେ। ବେବି ଏହି ପ୍ରଶ୍ନ ବ୍ୟତୀତ ଭାରତ ସରକାରଙ୍କ ଦ୍ବାରା ଭାରତରେ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ ହେବାରେ କେତେ ସମୟ ଲାଗିବ ଏବଂ କାନାଡ଼ା ତୁଳନାରେ ଭାରତରେ ବାଳିକାମାନଙ୍କର ସୁରକ୍ଷା କିପରି ବଢ଼ାଯିବ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.