ଦୀର୍ଘ ୨୧ ବର୍ଷ ଅପେକ୍ଷାର ଅନ୍ତ, ସରଗମ କୌଶଲ ଜିତିଲେ ମିସେସ୍ ଓ୍ଵାର୍ଲ୍ଡ ୨୦୨୨
18/12/2022 at 9:13 PM

ନୂଆଦିଲ୍ଲୀ: ଦୀର୍ଘ ୨୧ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଭାରତ ମିସେସ୍ ଓ୍ଵାର୍ଲ୍ଡର ଟାଇଟଲ୍ ନିଜ ନାମରେ କରିଛି। ସରଗମ କୌଶଲ ମିସେସ୍ ଓ୍ଵାର୍ଲ୍ଡ ୨୦୨୨ର ବିଜେତା ହୋଇଛନ୍ତି। ସରଗମଙ୍କ ପାଇଁ ଏହି ମୁହୂର୍ତ୍ତ ବେଶ ଭାବୁକପୂର୍ଣ୍ଣ ରହିଛି।
ଆମେରିକାରେ ମିସେସ୍ ଓ୍ଵାର୍ଲ୍ଡ ୨୦୨୨ର ଆୟୋଜନ ହୋଇଛି। ଏହି ସୁନ୍ଦରୀ ପ୍ରତିଯୋଗିତାରେ ବଲିଉଡର ବଡ ତାରକା ଅଂଶଗ୍ରହଣ କରିଥିଲେ। ତେବେ ୨୧ ବର୍ଷ ପରେ ଭାରତ ପକ୍ଷରୁ ସରଗମ ମିସେସ୍ ଓ୍ଵାର୍ଲ୍ଡ ୨୦୨୨ ଜିତିଛନ୍ତି। ଟାଇଟଲ୍ ଜିତିବା ପରେ ସରଗମଙ୍କୁ ମଞ୍ଚରେ ବହୁତ ଭାବବିହ୍ଵଳ ଦେଖିବାକୁ ମିଳିଥିଲା। ଟାଇଟଲ୍ ଜିତିବା ପରେ ସରଗମଙ୍କ ନିକଟକୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ଏହା ପୂର୍ବରୁ ୨୦୦୧ରେ ଆଦିତି ଗୋଭିତ୍ରିକର ମିସ୍ ଓ୍ଵାର୍ଲ୍ଡ ଟାଇଟଲ୍ ଜିତିଥିଲେ।
ଆଦିତି ଗୋଭିତ୍ରୀକର, ସୋହା ଅଲ୍ଲୀ ଖାନ, ବିବେକ ଓବରୟ ଏବଂ ମହମ୍ମଦ ଆଝାରୁଦ୍ଦୀନ ସରଗମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଦିତି ଗୋଭିତ୍ରୀକର କହିଛନ୍ତି, ଏହି ଯାତ୍ରାର ଅଂଶ ହୋଇଥିବାରୁ ମୁଁ ଗର୍ବିତ।
କିଏ ଏହି ସରଗମ କୌଶଲ
ମିସେସ୍ ଓ୍ଵାର୍ଲ୍ଡର ଟାଇଟଲ୍ ଜିତି ଦେଶକୁ ଗୌରବାନ୍ଵିତ କରିଥିବା ସରଗମ କୌଶଲ ଜାମ୍ମୁ-କାଶ୍ମୀରର ବାସିନ୍ଦା। ସେ ଜଣେ ଶିକ୍ଷୟତ୍ରୀ ଏବଂ ମୋଡେଲ୍। ୨୦୧୮ରେ ସରଗମଙ୍କ ବିବାହ ହୋଇଥିଲା। ବିବାହ ପରଠୁ ତାଙ୍କ ହୃଦୟରେ ସୁନ୍ଦରୀ ପ୍ରତିଯୋଗିତା ଜିତିବାର ଅଭିଳାଷ ଜାଗି ଉଠିଥିଲା। ଏହାପରେ ସେ ମିସେସ୍ ଓ୍ଵାର୍ଲ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।