ପଞ୍ଜାବରେ କରୋନାକୁ ମାତ ଦେବାରେ ୨୧ ପ୍ରତିଶତ ଅଛନ୍ତି ବୟସ୍କ : ଖୁସିରେ ହସ୍ପିଟାଲକୁ ଗୋଟିଏ ମାସର ପେନସନ ଦାନ କଲେ ଜଣେ ମହିଳା

Published By : Prameya-News7 Bureau | April 23, 2020 IST

ଚଣ୍ଡୀଗଡ଼ ୨୩/୦୪ : ପଞ୍ଜାବରେ ୨୧ ପ୍ରତିଶତରୁ ଅଧିକ ବୟସ୍କ କରୋନାକୁ ମାତ ଦେବାରେ ସଫଳ ହୋଇଛନ୍ତି | ଏହି ସଂଖ୍ୟା କରୋନା ସଂକ୍ରମିତଙ୍କ ପାଇଁ ଏକ ନୂଆ ଆଶା ସୃଷ୍ଟି କରିଛି | ପଞ୍ଜାବରେ ୧୬ ଜଣ ବୟସ୍କ ପୀଡିତ ସୁସ୍ଥ ହୋଇଛନ୍ତି | ଏପ୍ରିଲ ୨୨ ତାରିଖ ସୁଦ୍ଧା ପଞ୍ଜାବରେ ୫୨ ରୋଗୀ ୧୪ ଦିନ ଏକାନ୍ତଵାସରେ ରହିଥିଲେ | ଏମାନଙ୍କ ମଧ୍ୟରୁ ୬୦ ରୁ ୬୯ ବର୍ଷ ବୟସ ମଧ୍ୟରେ ୬ଜଣ ରୋଗୀ ଥିଲେ | ୭୦ ରୁ ୭୯ ବୟସ ମଧ୍ୟରେ  ୪ ଜଣ ରୋଗୀ ଥିଲେ | ଏମାନେ ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ | ଏମାନେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବଡ ଚେତାବନୀ ଥିଲେ | ରାଜ୍ୟରେ ସବୁଠାରୁ ବୟସ୍କ ମହିଳା ରୋଗୀଙ୍କ ବୟସ ୮୧ ବର୍ଷ | ସେ ବର୍ତ୍ତମାନ କରୋନା ମୁକ୍ତ | ମହଲା ଜଣକ ଉଚ୍ଚ ରକ୍ତଚାପ, ମଧୁମେହରେ ପୀଡିତ ଥିଲେ | ଘାତକ କରୋନା ଭାଇରସରେ ରାଜ୍ୟର ପ୍ରଥମ ବ୍ୟକ୍ତି ବଳଦେବ ସିଂହ ପ୍ରାଣ ହରାଇଥିଲେ | ବଳଦେବ ସିଂହଙ୍କ ୨ ବର୍ଷୀୟ ନାତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ | ସେ ମଧ୍ୟ ବର୍ତ୍ତମାନ ସୁସ୍ଥ ଅଛନ୍ତି |

ଚଣ୍ଡୀଗଡ଼ ପିଜିଆଇ ପାଲମନେରୀ ମେଡ଼ିସିନ ବିଭାଗର ଡାକ୍ତର ଡି.ବିହାରୀ ବୟସ୍କ ବ୍ୟକ୍ତିଙ୍କ ରିକଭରୀକୁ ଏକ ଭଲ ସଂକେତ ବୋଲି ଦର୍ଶାଇଛନ୍ତି | ସେ କହିଛନ୍ତି ଯେଉଁମାନେ ସୁସ୍ଥ ହୋଇଯାଇଛନ୍ତି ସେମାନଙ୍କ ପ୍ରତିରୋଧକ କ୍ଷମତା ରୋଗ ସହିତ ପୁଣି  ଲଢ଼ିବାରେ ସକ୍ଷମ ରହିଛି | ଏହି ଯୁଦ୍ଧରେ ବିଜୟୀ ହୋଇଥିବା ଜଳନ୍ଧରର ୭୫ ବର୍ଷ ବୟସ୍କା ମହିଳା କହିଛନ୍ତି ଯେ, ସେ ପ୍ରଥମରୁ ବହୁତ ଚିନ୍ତିତ ଥିଲେ କିନ୍ତୁ ସଠିକ ସମୟରେ ସ୍ୱାସ୍ଥ୍ୟ କର୍ମୀଙ୍କ ପରାମର୍ଶ ଓ ପରିବାର ସଦସ୍ୟଙ୍କ ସମର୍ଥନ ତାଙ୍କୁ ସାହସ ଯୋଗାଇଥିଲା | ସେ କହିଛନ୍ତି ଯଦି ଜଣେ ମାନସିକ ସ୍ଥରରେ ଦୃଢ ତାହେଲେ ସେ ନିଶ୍ଚୟ ରୋଗକୁ ପରାସ୍ତ କରିବାରେ ସକ୍ଷମ ହେବ | ସକାରାତ୍ମକ ଚିନ୍ତାଧାରା ରଖିବା ସବୁଠାରୁ ମହତ୍ଵପୂର୍ଣ୍ଣ | ହସ୍ପିଟାଲ କର୍ମଚାରୀଙ୍କ ଚିକିତ୍ସା ଓ ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି | ସେ ନିଜର ଏକ ମାସର ପେନସନ ହସ୍ପିଟାଲକୁ ଦାନ କରିଛନ୍ତି | ପଞ୍ଜାବର ନବା ସହରର ୧୮ ଜଣ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ସମସ୍ତ ୧୮ ଜଣ ବର୍ତ୍ତମାନ ସୁସ୍ଥ ଅଛନ୍ତି | ମାର୍ଚ୍ଚ ୨୬ ତାରିଖ ପରେ ଜିଲ୍ଲାରେ କୌଣସି ନୂଆ ମାମଲା ସାମ୍ନାକୁ ଆସିନଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.