‘ଆମ ବସ୍ ଷ୍ଟାଣ୍ଡ’ ଯୋଜନାରେ ୨୧ଟି ନୂଆ ବସ୍ ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ୧୨୪ଟିର ହେଲା ଶିଳାନ୍ୟାସ୍
23/08/2023 at 8:28 PM

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍ ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍ ଷ୍ଟାଣ୍ଡ ଉଦଘାଟନ କରିଛନ୍ତି । ଏହା ସହିତ ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ ସ୍ତରୀୟ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖିଛନ୍ତି । ଏହାକୁ ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏ ସମସ୍ତ ବସ୍ ଷ୍ଟାଣ୍ଡ ସଂପୂର୍ଣ୍ଣ ହେଲେ, ରାଜ୍ୟର ୨ କୋଟି ଲୋକ ଉପକୃତ ହେବେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ସମସ୍ତ ବସ ଷ୍ଟାଣ୍ଡ ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସ ଷ୍ଟାଣ୍ଡ। ଏଥିରେ ଯାତ୍ରୀ, ଡ୍ରାଇଭର ତଥା ସମସ୍ତ ସହକାରୀ କର୍ମଚାରୀ ମାନଙ୍କ ପାଇଁ ସସସ୍ତ ପ୍ରକାର ସୁବିଧା ଉପଲବ୍ଧ ଅଛି । ଏହା ସହିତ ମୁଖ୍ୟମନ୍ତ୍ରୀ ମୋ ପରିବହନ ସେବା ଓ ମୋବାଇଲ ଆପ୍ର ଶୁଭାରମ୍ଭ କରି କହିଥିଲେ ଯେ ଏହାଦ୍ବାରା ବିଭିନ୍ନ ପରିବହନ ସେବା ପାଇଁ ଆଉ ସରକାରୀ ଅଫିସକୁ ଯିବା ଆବଶ୍ୟକତା ରହିବ ନାହିଁ । ଡ୍ରାଇଭର ମାନଙ୍କୁ ଗାଡି ଚଳାଇବା କ୍ଷେତ୍ରରେ ଅଧିକ ଦକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୁ-ବାହକ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ୫୦ ହଜାର ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦିଆଯିବ । ଗଞ୍ଜାମର ପାଲୁର ଠାରେ ଏକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଉଦ୍ଘାଟନ କରିଥିଲେ । ସଡକ ଓ ସଡକ ବ୍ୟବହାରକରୀ ତଥା ଯାତ୍ରୀ ମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
Also read- ଚନ୍ଦ୍ରଯାନ-୩ ସଫଳ, ଜାଣନ୍ତୁ ସେହି ଗୁରୁତ୍ଵପୂର୍ଣ୍ଣ ୨୦ ମିନିଟ୍, କେମିତି ହେଲା ଲ୍ୟାଣ୍ଡରର ସଫଳ ଲ୍ୟାଣ୍ଡିଂ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭଲ ପରିବହନ ବ୍ୟବସ୍ଥା ଏକ ଉନ୍ନତ ଅର୍ଥନୀତି ପାଇଁ ମାର୍ଗ ପରିଷ୍କାର କରିଥାଏ । ବିଭିନ୍ନ ସଂସ୍ଥାଗତ ସେବା ତଥା ସ୍କୁଲ, କଲେଜ, ହସ୍ପିଟାଲ ଆଦିର ସୁବିଧା ସହଜରେ ଉପଲବ୍ଧ ହୋଇପାରେ। ଏକ ଗତିଶୀଳ ସାମାଜିକ ଓ ଅର୍ଥନୈତିକ ସମାଜ ଗଠନ ଦିଗରେ ଏହା ଏକ କାଟାଲିଷ୍ଟ (Catalyst) ଭାବରେ କାମ କରିଥାଏ । ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଗତ ୨୩ ବର୍ଷ ଧରି ରାଜ୍ୟରେ ସୁଶାସନର ଧାରା ଅବ୍ୟାହତ ରହିଛି । ଗମନାଗମନର ବିକାଶ ପାଇଁ ରାଜ୍ୟରେ ସଡକ ପରିବହନ ସହିତ ରେଳ ଓ ଆକାଶମାର୍ଗରେ ପରିବହନର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ ।
Also read- ଏଣିକି ବର୍ଷକୁ ଦୁଇ ଥର ହେବ ବୋର୍ଡ ପରୀକ୍ଷା, ଶିକ୍ଷା ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ଘୋଷଣା
ପୁରୀ ଠାରେ ଇଲ୍କ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ସୋନପୁର ଠାରେ ସଂସଦୀୟ ବ୍ୟାପାର ଓ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ପରିବହନ ବ୍ୟବସ୍ଥା ଓ ବସ ଷ୍ଟାଣ୍ଡ ଭିତ୍ତିଭୂମି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା କରିଥିଲେ । 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ
ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓ.ଏସ୍.ଆର.ଟି.ସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ