ଗୁଜରାଟର ଗିର ଅଭୟାରଣ୍ୟରେ ତିନି ସପ୍ତାହରେ ୨୧ ସିଂହଙ୍କ ମୃତ୍ୟୁ

Published By : Prameya-News7 Bureau | October 02, 2018 IST

ଅହମଦାବାଦ ୨|୧୦: ଗୁଜରାଟର ଗିର ଅଭୟାରଣ୍ୟରେ ସିଂହ ମଡ଼କ । ତିନି ସପ୍ତାହ ମଧ୍ୟରେ ୨୧ ସିଂହଙ୍କ ମୃତ୍ୟୁ ହେଲାଣି । ପୂର୍ବରୁ ୧୧ ସିଂହଙ୍କ ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୨୦ ରୁ ୩୦ ତାରିଖ ମଧ୍ୟରେ ଯଶଧର ଆନିମଲ୍ କେୟାର ସେଣ୍ଟରରେ ୧୦ ଟି ସିଂହଙ୍କ ମୃତ୍ୟୁ ହୋଇଛି । ଭୂତାଣୁ ସଂକ୍ରମଣ ଯୋଗୁ ଏତେ ସଂଖ୍ୟାରେ ସିଂହଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସଂକଟରେ ଜଙ୍ଗଲର ରାଜା । ଗିର୍ ଅଭୟାରଣ୍ୟରେ ସିଂହ ବଂଶ ପ୍ରତି ବିପଦ । ତିନି ସପ୍ତାହ ମଧ୍ୟରେ ୨୧ ସିଂହଙ୍କ ମୃତ୍ୟୁ । ସେପ୍ଟେମ୍ବର ୧୨ ରୁ ୧୮ ମଧ୍ୟରେ ଡାଲଖାନିୟାରେ ଛୁଆ ସମେତ ୧୧ ସିଂହଙ୍କ ମୃତ୍ୟୁ ହୋଇଥିଲା । ନିକଟରେ ଆଉ ୧୦ ଟି ସିଂହଙ୍କ ମୃତ୍ୟୁ ହୋଇଛି । ଯଶଧର ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ୭ ସିଂହଙ୍କ ମୃତ୍ୟୁ ହୋଇଥିବା ଗୁଜୁରାଟ ବନ ବିଭାଗ ସ୍ପଷ୍ଟ କରିଛି । ସିଂହ ମଡ଼କକୁ ନେଇ ଚିନ୍ତାରେ ପଶୁପ୍ରେମୀ । ଏତେ ସଂଖ୍ୟକ ସିଂହଙ୍କ ମୃତ୍ୟୁର କାରଣ ଭୂତାଣୁ ସଂକ୍ରମଣ ବୋଲି ପ୍ରାଣୀ ବିଶେଷଜ୍ଞ ସନ୍ଦେହ କରୁଛନ୍ତି ପ୍ରୋଟୋଜୋଆନ୍ ନାମକ ଏହି ଭୂତାଣୁ ସଂକ୍ରମଣ ଟିଙ୍କ ଦ୍ବାରା ବ୍ୟାପିଥାଏ। ଏହି ଟିଙ୍କ କୁକୁର, ଗୋରୁ ଏବଂ ଘାସରେ ଥାଆନ୍ତି । ଏହି ଭାଇରସ ଯୋଗୁଁ ୧୯୯୪ରେ ତାଞ୍ଜାନିଆର ସେରେଙ୍ଗେଟି ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୧୦୦୦ ସିଂହଙ୍କ ମୃତ୍ୟୁ ଘଟିଥିଲା। ଗିର୍ ଅଭୟାରଣ୍ୟରେ ପୂର୍ବରୁ ମରିଥିବା ୧୧ ଟି ସିଂହଙ୍କ ମଧ୍ୟରୁ ୪ ଟି କାନାଇନ୍ ଡିସ୍‌ଟେମ୍ପର ଭାଇରସ୍‌ ରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଭାଇରୋଲୋଜିରୁ ଆସିଥିବା ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଗତ ୧୦ ଦିନ ମଧ୍ୟରେ ମୃତ ସିଂହଙ୍କ ମଧ୍ୟରୁ ୬ଟି ପ୍ରୋଟୋଜୋଆନ୍‍ ଇନଫେକସନ୍‍ ଯୋଗୁଁ ଓ ୪ଟି ଅଜଣା ଭାଇରସ ଯୋଗୁଁ ମୃତ୍ୟୁ ଘଟିଛି। ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଅହମ୍ମଦାବାଦ ପ୍ରାଣୀ ବିଶେଷଜ୍ଞ କହିଛନ୍ତି। ସ୍ଥିତି ଗୁରୁତର ହେଉଥିବାରୁ ପ୍ରତିଷେଧକ ପଦକ୍ଷେପ ସ୍ବରୂପ ସେମ୍ରାଡି ଅଞ୍ଚଳର ୩୧ଟି ସିଂହଙ୍କୁ ଜାମ୍‍ୱାଲାକୁ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.