ଭୁବନେଶ୍ଵର: କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ମିଳିତ ନଗର ରାଜଭାଷା କାର୍ଯ୍ୟାନ୍ଵୟନ ସମିତି, ଭୁବନେଶ୍ୱରର ୨୦ତମ ଷାଣ୍ମାସିକ ବୈଠକ ସେପ୍ଟେମ୍ୱର ୨୪ରେ ନାଲକୋ କର୍ପୋରେଟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୁବନେଶ୍ୱର କ୍ଷେତ୍ରରେ ରହିଥିବା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକରେ ଦୈନନ୍ଦିନ ସରକାରୀ କାର୍ଯ୍ୟରେ ହିନ୍ଦୀର ବ୍ୟବହାର ଏବଂ ପ୍ରଗତିର ସମୀକ୍ଷା କରାଯାଇଥିଲା । ହିନ୍ଦୀ କର୍ମଶାଳା ଏବଂ ହିନ୍ଦୀ ପ୍ରତିଯୋଗିତା, ଉପ-କମିଟି ଗଠନ, ସରକାରୀ କାର୍ଯ୍ୟରେ ଅଧିକରୁ ଅଧିକ ହିନ୍ଦୀର ବ୍ୟବହାର, କାର୍ଯ୍ୟାନ୍ଵୟନ ସମିତିର ପତ୍ରିକା ଇତ୍ୟାଦି ସମେତ ସରକାରୀ ଭାଷାର ପ୍ରଚାର ପାଇଁ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ଏବଂ କାର୍ଯ୍ୟକଳାପ ସମ୍ବନ୍ଧରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା।
ନାଲକୋ ସିଏମଡି ତଥା ରାଜଭାଷା କାର୍ଯ୍ୟାନ୍ଵୟନ ସମିତି, ଭୁବନେଶ୍ୱର ଅଧ୍ୟକ୍ଷ ଶ୍ରୀଧର ପାତ୍ର ନିଜ ଅଭିଭାଷଣରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ରାଜଭାଷା ହିନ୍ଦୀର ବ୍ୟବହାର ଉତ୍ସାହଜନକ ବୋଲି କହିବା ସହ ସରକାରୀ ଭାଷାର ଉନ୍ନତି ଉପରେ ଗୁରୁତ୍ତ୍ଵ ତଥା ଦୈନନ୍ଦିନ କାର୍ଯ୍ୟରେ ହିନ୍ଦୀର ନିରନ୍ତର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବା ନିମନ୍ତେ ଆହ୍ୱାନ ଦେଇଥିଲେ ।
ବୈଠକରେ ନାଲକୋର ନିର୍ଦ୍ଦେଶକ(ପି ଏଣ୍ଡ ଟି) ତଥା ଭାରପ୍ରାପ୍ତ ନିର୍ଦ୍ଦେଶକ(ଏଚଆର) ଜଗଦୀଶ ଅରୋରା, ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଏଚଆର ଓ ଆଡମିନ) ଆଶୁତୋଷ ରଥଙ୍କ ସହ ଭୁବନେଶ୍ଵର କ୍ଷେତ୍ରର ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ବରିଷ୍ଠ ଅଧିକାରୀ, ପ୍ରତିନିଧି ଏବଂ ରାଜଭାଷା ଅଧିକାରୀ ଓ ଅନୁବାଦକମାନେ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ଉପସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମାନଙ୍କ ମଧ୍ୟରେ ପାୱାରଗ୍ରୀଡ କର୍ପୋରେସନ, ଏଚପିସିଏଲ, ସେଲ, ଏମସିଏଲ, ଭେଲ, ଏଫସିଆଇ, ହୁଡ଼କୋ, ବେମଲ, ଏନସିଏଫଏଲ, ଗେଲ, ଆଇଓସିଏଲ, ବିପିସିଏଲ, ଆରଆଇଏନଏଲ, ଏନଟିପିସି, ରାଇଟ୍ସ, ୱାପକସ, ସିଏମପିଡିଆଇଏଲ, ଏବଂ ଅନ୍ୟମାନେ ପ୍ରମୁଖ । ନାଲକୋ ରାଜଭାଷା ପ୍ରବନ୍ଧକ ତଥା ରାଜଭାଷା କାର୍ଯ୍ୟାନ୍ଵୟନ ସମିତିର ମେମ୍ବର ସେକ୍ରେଟାରୀ ହିମାଂଶୁ ରାଏ ବୈଠକ ପରିଚାଳନା କରିଥିଲେ ।