ନିତିଶ କୁମାରଙ୍କ ଘୋଷଣା, କହିଲେ-ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଲଢାଯିବ ୨୦୨୫ ବିହାର ବିଧାନସଭା ନିର୍ବାଚନ
13/12/2022 at 8:19 PM

ପାଟନା ୧୩।୧୨: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ନିତିଶ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ୨୦୨୫ର ବିହାର ବିଧାନସଭା ନିର୍ବାଚନ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଲଢାଯିବ। ଏହା ସହ ନିତିଶ ପ୍ରଧାନମନ୍ତ୍ରୀ ପଦଲାଗି ପ୍ରାର୍ଥୀ ନୁହନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି। ସବୁ ବିରୋଧୀଙ୍କ ଭଳି ସେ ମଧ୍ୟ ସମସ୍ତଙ୍କ ସହ ମିଶି କେନ୍ଦ୍ରରୁ ବିଜେପିକୁ ହଟାଇବାକୁ ଚାହୁଁଥିବା କହିଛନ୍ତି ।
ମଙ୍ଗଳବାର ପାଟନାରେ ମହାମେଣ୍ଟ ବିଧାନମଣ୍ଡଳ ଦଳର ବୈଠକ ଡକାଯାଇଥିଲା। ବୈଠକ ସମାପ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର କହିଛନ୍ତି ଯେ ବର୍ଷ ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଲଢାଯିବ। ମୁଁ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ନୁହେଁ। ଆମେ ସବୁ କେବଳ କେନ୍ଦ୍ରରୁ ବିଜେପିକୁ ହଟାଇବାକୁ ଚାହୁଁଥିବା ନିତିଶ କହିଛନ୍ତି। ଏହା ଛଡା ରାଜ୍ୟରେ ମଦ ବନ୍ଦ ନେଇ ହେଉଥିବା ବୟାନବାଜୀକୁ ନେଇ ମୁଖ୍ୟମନ୍ତ୍ରୀ ତାଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ମଦ ବନ୍ଦ ନେଇ ଯେଉଁମାନେ ଏଣୁତେଣୁ ଗପୁଛନ୍ତି ସେମାନେ କଣ ଜାଣନ୍ତିନି ରାଜ୍ୟରେ ସମସ୍ତଙ୍କ ସହମତିରେ ମଦ ବନ୍ଦ କାର୍ଯ୍ୟକାରୀ ହୋଇଥିଲା ବୋଲି। ଏଣୁ ମଦ ବନ୍ଦକୁ ନେଇ ଏଣୁତେଣୁ ଗପିବା ବଦଳେ ରାଜ୍ୟରେ ନୀତି କିପରି ପ୍ରଭାବି ଢଙ୍ଗରେ ଲାଗୁ ହେବ ସେ ବାବଦେ ଚିନ୍ତା କରନ୍ତୁ ବୋଲି ନିତିଶ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ନିତିଶ କୁମାର ଏନଡିଏ ସହ ସମ୍ପର୍କ ତୁଟାଇ ମହାମେଣ୍ଟ ସହ ପୁଣି ସରକାର କରିଛନ୍ତି। ଅତୀତରେ ସେ ମହାମେଣ୍ଟ ସହ ସମ୍ପର୍କ ଭାଙ୍ଗି ଏନଡିଏ ସହ ସରକାର କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ତେବେ ଦ୍ୱିତୀୟ ବାର ମହାମେଣ୍ଟ ସହ ମିଶିବା ପରେ ନିତିଶଙ୍କ ଉପରେ ନାନା ଅଭିଯୋଗ ହେଉଛି। ତେବେ ନିତିଶ କୁମାର ୨୦୨୪ ଲୋକସଭା ନିର୍ବାଚନକୁ ନେଇ ରାଜ୍ୟରେ ନିଜକୁ ସକ୍ରିୟ କରିଛନ୍ତି।