ଭୁବନେଶ୍ଵର: ଭାରତୀୟ ଜନତା ପାର୍ଟି(ବିଜେପି) ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଜାରି କରିଥିବା ପ୍ରାର୍ଥୀ ତାଲିକାରେ ଓଡ଼ିଶାର ଆସନ କିମ୍ବା ପ୍ରାର୍ଥୀଙ୍କ ନାଁ ନାହିଁ। ୧୯୫ ଜଣିଆ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କୌଣସି କେନ୍ଦ୍ର ମନ୍ତ୍ରୀଙ୍କ ନାମ ବି ନାହିଁ। ଏହା କିନ୍ତୁ ପୁଣି ଥରେ ଓଡ଼ିଶାରେ ବିଜେଡି ସହ ବିଜେପି ମେଣ୍ଟ ସମ୍ଭାବନା ଚର୍ଚ୍ଚାକୁ ବଢାଇ ଦେଇଛି। କାରଣ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଅତି କମରେ ୫ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ଆସୁଥିଲା। ଏପରିକି ୧୦୦ ଜଣିଆ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି ଏବଂ ସେଥିରେ ଓଡ଼ିଶାର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ନାମ ଥିବା ଚର୍ଚ୍ଚା ହେଉଥିଲା। ଗୁରୁବାର ବିଳମ୍ବିତ ରାତି ବୈଠକ ପରେ ଏହି ଚର୍ଚ୍ଚା ଅଧିକ ବଢିଥିଲା। ଏପଟେ କିନ୍ତୁ ରାଜ୍ୟରେ ମେଣ୍ଟ ଚର୍ଚ୍ଚା ଥମୁ ନ ଥିଲା। ଆଉ ଏହି ମେଣ୍ଟ ଚର୍ଚ୍ଚାର ପ୍ରକୃତ ନିର୍ଯ୍ୟାସ ଦୁଇ ଦିନ ଭିତରେ ସ୍ପଷ୍ଟ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ଯୁକ୍ତି ରଖିଛନ୍ତି।
wp:heading {"level":4}Also read- ଦଳ ଛାଡୁଥିବା ନେତାଙ୍କ ଭବିଷ୍ୟତ ନାହିଁ, ବିଜେଡି ୧୨୦ ବିଧାନସଭା ଓ ୧୭ ଲୋକସଭା ସିଟ୍ ଜିତିବ: ସସ୍ମିତ ପାତ୍ର
/wp:headingମେଣ୍ଟ ଚର୍ଚ୍ଚାରେ ହଠାତ ଟୁଇଷ୍ଟ ଆଣିଥିଲା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମତ। ଦିଲ୍ଲୀରୁ ଫେରିବା ପରେ ସାମ୍ବାଦିକଙ୍କୁ ସେ କହିଥିଲେ ମେଣ୍ଟ ହେବନି କିନ୍ତୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ। ଅନ୍ୟ ପକ୍ଷରେ କିଛି କେନ୍ଦ୍ରୀୟ ନେତା ମେଣ୍ଟ ସଂପର୍କରେ କିଛି କହୁ ନ ଥିଲେ ବି ଡବଲ ଇଞ୍ଜିନ ସରକାର କଥା ଆହ୍ଵାନ ଦେଇ ଚାଲିଥିଲେ। ମନମୋହନଙ୍କ ମନ୍ତବ୍ୟ ମେଣ୍ଟ ଆଲୋନଚାକୁ ଟିକିଏ ବିରାମ ଦେଇଥିବା ବେଳେ ଶନିବାର ସନ୍ଧ୍ୟାରେ ବିଜେପିର ୧୯୫ ଜଣିଆ ପ୍ରାର୍ଥୀ ତାଲିକା ଆସିବା ପରେ ପୁଣି ମେଣ୍ଟ ଚର୍ଚ୍ଚା ବଢିଛି।
ଆଶା କରାଯାଉଥିଲା ବିଜେପିର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକାରେ ଓଡ଼ିଶାର ।ମୋଟ୍ ୨୧ ଲୋସକସଭା ଆସନରୁ ଅନ୍ତତଃ ପକ୍ଷେ ୫ଟି ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା ହେବା। ପୂର୍ବରୁ ମଧ୍ୟ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ପ୍ରଥମ ପ୍ରାର୍ଥୀ ତାଲିକାରେ ବିଜେପି ସୁନ୍ଦରଗଡରୁ ଜୁଏଲ ଓରାମ, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ଵରରୁ ଅପରାଜିତା ଷଡ଼ଙ୍ଗୀ, ପୁରୀରୁ ସମ୍ବିତ ପାତ୍ର ଏବଂ ମୟୂରଭଞ୍ଜରୁ ବିଶ୍ଵେଶ୍ଵର ଟୁଡୁଙ୍କ ନାଁ ଘୋଷଣା କରିବ। ହେଲେ ଶନିବାର ତାଲିକାରେ ସେମିତି କିଛି ହେଲା ନାହିଁ। ପ୍ରାର୍ଥୀ ତାଲିକାରେ ଜଣଙ୍କର ବି ନାଁ ନ ରହିବା ରାଜ୍ୟରେ ବିଜେପି ଏବଂ ବିଜେଡି ମେଣ୍ଟ ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଛି। ବିଜେପି ରାଜ୍ୟ ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମେଣ୍ଟ ଚର୍ଚ୍ଚାକୁ ଯେତେ ଖଣ୍ଡନ କଲେ ବି ଏହା ଥମିବାର ନାଁ ନେଉ ନାହିଁ। ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ।
wp:heading {"level":4}Also read- ରାଜନୀତିରୁ ମୁକ୍ତ ହେବେ ଗୌତମ ଗମ୍ଭୀର; ପିଏମ୍ ମୋଦିଙ୍କୁ ଜଣାଇଲେ ଧନ୍ୟବାଦ
/wp:headingଏପଟେ ଦଳ ଡିଆଁ ବଢି ବଢି ଚାଲିଛି। ଦଳ ଡିଆଁରେ ବେଶି କ୍ଷତିଗ୍ରସ୍ତ ହୋଇଛି ବିଜେଡି। ଦଳ ଟିକେଟରେ ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିବା ୩ ଜଣ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ ଓ ଅରବିନ୍ଦ ଢାଲି ଦଳ ଛାଡ଼ିଛନ୍ତି। ପ୍ରଥମ ଦୁଇ ଜଣ ବିଜେପିରେ ମିଶି ସାରିଥିବା ବେଳେ ଜୟଦେବର ବିଧାୟକ ଅରବିନ୍ଦ ଢାଲି ରବିବାର ବିଜେପିରେ ମିଶିବେ ବୋଲି କହିଛନ୍ତି। ଏକ ସୂତ୍ର ଅନୁଯାୟୀ, ବିଜେଡି ଟିକେଟରେ ଜିତି କିଛି ଦିନ ମନ୍ତ୍ରୀ ହୋଇଥିବା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ମଧ୍ୟ ବିଜେପିରେ ମିଶିବା ଏକ ପ୍ରକାର ଚୂଡ଼ାନ୍ତ। ଏକଦା ବିଜେଡି କ୍ଷମତା କେନ୍ଦ୍ରର ପରିଧିରେ ଥିବା ବରିର ପୂର୍ବତନ ବିଧାୟକ ଦେବାଶିଷ ନାୟକଙ୍କ ସମେତ କିଛି ନେତା ବିଜେପିକୁ ଡେଇଁ ସାରିଛନ୍ତି। ନିକଟ ଅତୀତରେ ବିଜେଡି ନେତାଙ୍କ ଏପରି ଦଳ ପରିବର୍ତ୍ତନ ନେଇ ସୂଚନା ଦେଇଥିଲେ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ। ଆଉ ଏବେ ବିଜେଡି ନେତାଏ ପଦ୍ମମୁହାଁ ହେବା ମୋହନଙ୍କ ବକ୍ତବ୍ୟକୁ ସତ କରୁଛି। ଏପରି ଦଳ ଡିଆଁରୁ ମେଣ୍ଟ ସମ୍ଭାବନା ଆଶା କ୍ଷୀଣ ବୋଲି କିଛି ମହଲ ଦାବି କରୁଛି। ତେବେ ଆଗାମୀ ଦୁଇ ଦିନ ଗୁରୁତ୍ଵପୂର୍ଣ୍ଣ ଏବଂ ୭୨ ଘଣ୍ଟା ଭିତରେ ମେଣ୍ଟ ଚର୍ଚ୍ଚା ପରିଷ୍କାର ହୋଇଯିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଶା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଥିବାରୁ ସେମାନେ ଏପରି ଯୁକ୍ତି ବାଢିଥିବା କୁହନ୍ତି। ତେବେ ଯାହା ବି ହେଉ ଓଡ଼ିଶା ରାଜନୀତି ଏବେ ସରଗରମ।