ଦିଲ୍ଲୀରେ ୪ ସାଂସଦଙ୍କ ଟିକେଟ୍ କାଟିଲା ବିଜେପି, କେବଳ ମନୋଜ ତିଓ୍ଵାରୀ ହେଲେ ରିପିଟ୍

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୩୪ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ନାଁ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳ ସାମିଲ୍ ରହିଛି। ତେବେ ପ୍ରଥମ ତାଲିକାରେ ଦଳ ଅନେକ ହେଭିଓ୍ଵେଟ ନେତାଙ୍କ ବଦଳରେ ଅନେକ ନୂଆ ଚେହେରାକୁ ପ୍ରାର୍ଥୀ କରିଛି। ଦିଲ୍ଲୀର ମୋଟ୍ ୭ଟି ଲୋକସଭା ସିଟରୁ ୫ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ଘୋଷିତ ୫ ପ୍ରାର୍ଥୀଙ୍କ ମଧ୍ୟରୁ ୪ ନୂଆ ଚେହେରାଙ୍କୁ ଦଳ ମଇଦାନକୁ ଓହ୍ଲାଇଛି। କେବଳ ମନୋଜ ତିଓ୍ଵାରୀଙ୍କୁ ଦଳ ଭରସା ପ୍ରକଟ କରି ପୁନର୍ବାର ପ୍ରାର୍ଥୀ କରିଛି।

ପଶ୍ଚିମ ଦିଲ୍ଲୀରେ ପ୍ରବେଶ ବର୍ମାଙ୍କ ଟିକେଟ୍ କଟାଯାଇ କମଲଜିତ ସହରାବତଙ୍କୁ ପ୍ରାର୍ଥୀ କରାଯାଇଛି। ସହରାବତ ଦିଲ୍ଲୀ ବିଜେପିର ସାଧାରଣ ସଂପାଦକ। ସେହିପରି ଚାନ୍ଦିନି ଚୌକରୁ ଡକ୍ଟର ହର୍ଷବର୍ଦ୍ଧନଙ୍କ ସ୍ଥାନରେ ବ୍ୟବସାୟୀରୁ ନେତା ହୋଇଥିବା ପ୍ରବୀଣ ଖଣ୍ଡେଲଓ୍ଵାଲଙ୍କୁ ଦଳ ପ୍ରାର୍ଥୀ ଘୋଷିତ କରିଛି। କେନ୍ଦ୍ର ସରକାରରେ ମନ୍ତ୍ରୀ ଥିବା ମୀନାକ୍ଷୀ ଲେଖୀଙ୍କ ଟିକେଟ୍ କଟାଯାଇ ପୂର୍ବତନ ମନ୍ତ୍ରୀ ସ୍ଵର୍ଗୀୟ ସୁଷମା ସ୍ଵରାଜଙ୍ ଝିଅ ବାଂସୁରୀ ସ୍ଵରାଜଙ୍କୁ ପ୍ରାର୍ଥୀ କରିଛି। ବାଂସୁରୀ ବର୍ତ୍ତମାନ ଦିଲ୍ଲୀ ବିଜେପିରେ ସଂପାଦକ ପଦରେ ଅଛନ୍ତି।

wp:heading {"level":4}

Also read- ବାରଣାସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ, ବିଜେପିର ୧୯୫ ଜଣିଆ ତାଲିକାରେ ୩୪ କେନ୍ଦ୍ର ମନ୍ତ୍ରୀ

/wp:heading

ଅନ୍ୟପକ୍ଷେ ଦକ୍ଷିଣ ଦିଲ୍ଲୀରୁ ରମେଶ ବିଘୁଡିଙ୍କ ଟିକେଟ୍ କାଟି ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ରାମବୀର ସିଂ ବିଘୁଡିଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ଦଳ ଉତ୍ତର-ପୂର୍ବ ଦିଲ୍ଲୀରୁ ମନୋଜ ତିଓ୍ଵାରୀଙ୍କ ଉପରେ ଭରସା ପ୍ରକଟ କରିଛି। ଦଳ ତାଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି।

ବିଜେପି ପୂର୍ବ ଦିଲ୍ଲୀ ଓ ଉତ୍ତର ପଶ୍ଚିମ ଦିଲ୍ଲୀରୁ ପ୍ରାର୍ଥୀ ଘୋଷଣା କରିନି। ପୂର୍ବ ଦିଲ୍ଲୀରୁ ସାଂସଦ ଗୌତମ ଗମ୍ଭୀର ଆଜି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଚିଠି ଲେଖି ରାଜନୈତିକ ଦାୟିତ୍ଵରୁ ମୁକ୍ତ କରିବାକୁ ସୁପାରିସ କରିଛନ୍ତି। ସେହିପରି ଉତ୍ତର ପଶ୍ଚିମ ଦିଲ୍ଲୀ ସଂସଦୀୟ କ୍ଷେତ୍ରରୁ ହଂସରାଜ ହଂସ ସାଂସଦ ରହିଛନ୍ତି। ଦିଲ୍ଲୀର ଏହି ଦୁଇଟି ଆସନରେ ସସପେନ୍ସ ଜାରି ରହିଛି।

ଆଜି ଘୋଷିତ ୧୯୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨୮ଜଣ ମହିଳା, ଅନୁସୂଚିତ ଜାତି(ଏସସି)ରୁ ୨୭, ଅନୁସୂଚିତ ଜନଜାତି(ଏସଟି) ବର୍ଗରୁ ୧୮ ଏବଂ ପଛୁଆ ବର୍ଗ(ଓବିସି)ରୁ ୫୭ ଜଣ ସାମିଲ। ତେବେ ତାଲିକାରେ ଓଡ଼ିଶାର ନାଁ ନାହିଁ। ବିଜେପିର ପ୍ରଥମ ତାଲିକାରେ ଉତ୍ତର ପ୍ରଦେଶର ୫୧, ପଶ୍ଚିମବଙ୍ଗର ୨୦, ମଧ୍ୟପ୍ରଦେଶର ୨୪, ଗୁଜରାଟର ୧୫, ରାଜସ୍ଥାନର ୧୫, କେରଳର ୧୨, ତେଲେଙ୍ଗାନାର ୯, ଆସାମର ୧୧, ଝାଡ଼ଖଣ୍ଡର ୧୧, ଛତିଶଗଡ଼ର ୧୧, ଦିଲ୍ଲୀର ୫, ଜମ୍ମୁ-କାଶ୍ମୀରର ୨, ଉତ୍ତରାଖଣ୍ଡର ୩, ଅରୁଣାଚଳ ପ୍ରଦେଶର ୨, ଗୋଆର ୧, ତ୍ରିପୁରାର ୧, ଆଣ୍ଡାମାନର ୧, ଦାମନ ଓ ଡିଉରୁ ୧ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.