ବିବାଦ ସମାଧାନ!; ପାକିସ୍ତାନରେ ଆୟୋଜନ ହେବ ଏସିଆ କପ୍ ୨୦୨୩, ପାକ୍ ବାହାରେ ଖେଳିବ ଭାରତ
24/03/2023 at 11:36 AM

ମୁମ୍ବାଇ: ଏସିଆ କପ୍ ବିବାଦ ସମାଧାନ ମୁହାଁ । ଏସିଆ କପ୍ ୨୦୨୩ ଆୟୋଜନ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ବିବାଦରେ ପୁର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । ସୂଚନା ଅନୁଯାୟୀ, ସେପ୍ଟେମ୍ବର ମାସରେ ହେବାକୁ ଥିବା ଏସିଆ କପ୍ ପାକିସ୍ତାନରେ ହେବ । ହେଲେ ଟିମ୍ ଇଣ୍ଡିଆର ମ୍ୟାଚ୍ ଅନ୍ୟଦେଶରେ ଖେଳାଯିବ । ତେବେ ଭାରତ ମ୍ୟାଚ୍ କେଉଁଠି ଖେଳାଯିବ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ୟୁଏଇ, ଓମାନ, ଶ୍ରୀଲଙ୍କା ଏବଂ ଇଂଲଣ୍ଡ ମଧ୍ୟରୁ କୌଣସି ଦେଶରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ । ଟିମ୍ ଇଣ୍ଡିଆର ମୋଟ୍ ୫ଟି ମ୍ୟାଚ ମଧ୍ୟରୁ ୨ଟି ମ୍ୟାଚ୍ ବିଦେଶରେ ଖେଳାଯିବ ।
ଇଏସପିଏନ ରିପୋର୍ଟ ଅନୁଯାୟୀ, ଏସିଆ କପକୁ ନେଇ ବିବାଦ ପରେ ବିସିସିଆଇ ଓ ପିସିବି ଏହାକୁ ସମାଧାନ କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି । ବିସିସିଆଇର ପ୍ରସ୍ତାବ ଅନୁଯାୟୀ, ଉଭୟ ଦେଶର ମ୍ୟାଚ୍ ପାକିସ୍ତାନରେ ନୁହେଁ ବରଂ ଅନ୍ୟଦେଶରେ ଖେଳିପାରନ୍ତି । ଏସିଆନ୍ କ୍ରିକେଟ୍ କାଉଁସିଲ୍ ଏସିଆ କପ୍ ଆୟୋଜନ ପାଇଁ ପାକିସ୍ତାନ ଦାୟିତ୍ବ ଦେଇଛି । ହେଲେ ବିସିସିଆଇ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ମନା କରିଦେଇଥିଲା । ପରେ ଟୁର୍ଣ୍ଣମେଣ୍ଟ ଆୟୋଜନ ନେଇ ବିବାଦ ସୃଷ୍ଟି ହୋଇଥିଲା ।
ଭାରତ ମ୍ୟାଚ ପାକିସ୍ତାନ ବାହାରେ ଖେଳାଯିବା ନେଇ ସହମତି ପ୍ରକାଶ ପାଇଛି । ଏସିଆନ୍ କ୍ରିକେଟ୍ କାଉଁସିଲ ଭାରତ-ପାକିସ୍ତାନ ବିବାଦକୁ ସମାଧାନ କରିବା ଦିଗରେ ଉଦ୍ୟମ ଚଳାଇଛି । ଟିମ୍ ଇଣ୍ଡିଆର ମ୍ୟାଚ୍ ସମସ୍ତ ସଦସ୍ୟ ଦେଶ ସହିତ ଆଲୋଚନା କରି ବାହାରେ ଆୟୋଜନ କରିବାକୁ ଗ୍ରୀନ୍ ସିଗନାଲ୍ ଦେଇଛି । ଗତ ସପ୍ତାହରେ ଆଇସିସି ବୋର୍ଡ ବୈଠକରେ ଏସିସି ମେମ୍ବର ବୈଠକ ନିଷ୍ପତ୍ତିକୁ ସହମତି ଦେଇଛି । ଏହେଲେ ଏବେବି ଅନ୍ତିମ ଫୈସଲା ବାକି ରହିଛି । ସମାଧାନର ଏହି ରାସ୍ତାର ଠିକ୍ କରିବା ପାଇଁ ଓ୍ବାକିଂ ଗ୍ରୁପ ଗଠନ କରାଯାଇଛି ।
ଭାରତ ଓ ପାକିସ୍ତାନ ଟିମକୁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର କ୍ବାଲିଫାୟାର ଟିମ୍ ସହିତ ଗୋଟିଏ ଗ୍ରୁପରେ ରଖାଯାଇଛି । ସେହିପରି ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଅନ୍ୟ ଏକ ଗ୍ରୁପରେ ରହିଛନ୍ତି । ଏସିଆ କପ୍ ୧୩ ଦିନ ଭିତରେ ଫାଇନାଲ ସମେତ ମୋଟ୍ ୧୩ଟି ମ୍ୟାଚ୍ ଖେଳାଯିବ । ୨୦୨୨ ଏସିଆ କପ୍ ନିୟମ ଅନୁଯାୟୀ, ଶୀର୍ଷ ୨ଟି ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।