କଥା ୨୦୧୧ ବିଶ୍ୱକପ୍‌ର... ୨୦୦୭ର ପ୍ରତିଶୋଧ ନେଇଥିଲା ଟିମ୍‌ ଇଣ୍ଡିଆ, ସେହଓ୍ୱାଗ ଖେଳିଥିଲେ ଧୁଆଁଧାର ଇନିଂସ

Published By : Prameya-News7 Bureau | January 18, 2023 IST

ମୁମ୍ବାଇ ୧୮।୦୧ : କଥା ୨୦୧୧ ବିଶ୍ୱକପ୍‌ର । ଯେଉଁଥିରେ ୨୦୦୭ ବିଶ୍ୱକପ୍‌ର ବଦ୍‌ଲା ନେଇଥିଲା ଟିମ୍‌ ଇଣ୍ଡିଆ । ୨୦୦୭ ଦିନିକିଆ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତକୁ ପରାସ୍ତ କରିଥିଲା ବାଂଲାଦେଶ । ଯାହାଫଳରେ ବିଶ୍ୱକପ୍‌ରୁ ଭାରତ ବିଦାୟ ନେବାର ରାସ୍ତା ସଫା ହୋଇଯାଇଥିଲା । ୪ ବର୍ଷ ପରେ ପରାଜୟର ବଦ୍‌ଲା ନେଇଥିଲା ଧୋନି ବାହିନୀ ।  ୨୦୧୧ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ୮୭ ରନ୍‌ରେ ପରାସ୍ତ କରିଥିଲା ଭାରତ ।

୨୦୧୧ ବିଶ୍ୱକପ୍‌ରେ ଗ୍ରୁପ ବିର ପ୍ରଥମ ମ୍ୟାଚ୍‌ ଭାରତ-ବାଂଲାଦେଶ ମଧ୍ୟରେ ଥିଲା । ଫେବୃଆରୀ ୧୯ ତାରିଖରେ ବାଂଲାଦେଶର  ଶେର୍-ଇ-ବାଂଲା ଷ୍ଟାଡିୟମ୍‌ରେ ଖେଳାଯାଇଥିଲା ମ୍ୟାଚ୍‌ । ଯେଉଁଥିରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଂଲାଦେଶ ଟିମ୍‌ । ଭାରତ ପ୍ରଥମ ବ୍ୟାଟିଂ କରି ୫୦ ଓଭରରେ ୪ ଓ୍ୱିକେଟ୍‌ ହରାଇ ୩୭୦ ରନ୍‌ କରିଥିଲେ । ଯେଉଁଥିରେ ଧୁଆଁଧାର ବ୍ୟାଟିଂ କରିଥିଲେ ବିରେନ୍ଦ୍ର ସେହଓ୍ୱାଗ । ସେ ୧୪୦ ବଲ୍‌ରେ ୧୭୫ ରନ୍‌ ହାସଲ କରିଥିଲେ । ଯେଉଁଥିରେ ୫ଟି ଛକ୍କା ଓ ୧୪ଟି ଚୌକା ସାମିଲ ଥିଲା । ସେହିପରି ସେତେବେଳର ଯୁବ ବ୍ୟାଟସମ୍ୟାନ୍‌ ବିରାଟ କୋହଲି ମଧ୍ୟ ଜବରଦସ୍ତ ବ୍ୟାଟିଂ କରିଥିଲେ । ଜୁନିୟର ବିଶ୍ୱକପ୍‌ ପରେ ନିଜ କ୍ୟାରିୟର ପ୍ରଥମ ଓ୍ୱାଲ୍ଡ କପ୍‌ ଖେଳୁଥିବା ବିରାଟ କୋହଲି ୮୩ ବଲ୍‌ରେ ୧୦୦ ରନ୍‌ ହାସଲ କରିଥିଲେ । ଏଥିରେ ୨ଟି ଛକ୍କା ଏବଂ ୮ଟି ଚୌକା ସାମିଲ୍‌ ଥିଲା ।

ସେପଟେ ୩୭୧ ରନ୍‌ ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବାଂଲାଦେଶ । ହେଲେ ଭାରତୀୟ ବୋଲିଂକୁ ସମ୍ମୁଖୀନ କରିପାରିନଥିଲେ ବାଂଲା ବ୍ୟାଟର । ଓପନର ତମିମ୍‌ ଇକ୍‌ବାଲ ଓ ସାକିବ ଉଲ୍‌ ହାସନଙ୍କୁ ଛାଡି ଆଉ କୌଣସି ବ୍ୟାଟସମ୍ୟାନ୍‌ ଆଖିଦୃଶିଆ ସ୍କୋର କରିପାରିନଥିଲେ । ତମିମ୍‌ ଇକ୍‌ବାଲ ବ୍ୟକ୍ତିଗତ ୭୦ ରନ୍‌ କରିଥିଲେ । ଯାହା ବାଂଲା ବ୍ୟାଟିଂ ପାରିର ସର୍ବାଧିକ ରନ୍‌ ଥିଲା । ଏହାପଛକୁ ସାକିବ୍‌ ଉଲ୍‌ ହାସନଙ୍କ ୫୫ ରନ୍‌ ରହିଛି । ଭାରତୀୟ ବୋଲରଙ୍କ ମଧ୍ୟରେ ମୁନାଫ ପଟେଲ୍‌ ସର୍ବାଧିକ ୪ଟି ଓୱିକେଟ୍‌ ନେଇଥିଲେ । ମୋଟ ୧୦ ଓଭର ବୋଲିଂ କରି ୪୮ ରନ୍‌ ଦେଇ ୪ଟି ଓ୍ୱିକେଟ୍‌ ନେଇଥିଲେ । ଏହାପଛକୁ ଜାହିର ଖାନ୍‌ ୨ଟି, ହରଭଜନ ସିଂହ ୧ଟି, ୟୁସୁଫ୍‌ ପଠାନ୍‌ ୧ଟି ଓ୍ୱିକେଟ୍‌ ନେଇଥିଲେ । ମୋଟ ୫୦ ଓଭର ଖେଳ ଶେଷ ସୁଦ୍ଧା ବାଂଲା ଟିମ୍‌ ୯ଟି ଓ୍ୱିକେଟ ହରାଇ ୨୮୩ ରନ୍‌ କରିବାରେ ସକ୍ଷମ ହୋଇଥିଲା ।

ଭାରତ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌କୁ ୮୭ ରନ୍‌ରେ ବିଜୟୀ ହୋଇଥିଲା । ଦମ୍‌ଦାର ବ୍ୟାଟିଂ କରିଥିବା ଓପନର ବିରେନ୍ଦ୍ର ସେହଓ୍ୱାଗଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ ବିବେଚନା କରାଯାଇଥିଲା । ସେ ୧୪୦ ବଲ୍‌ରେ ୧୭୫ ରନ୍‌ର ଧୁଆଁଧାର ଇନିଂସ ଖେଳିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.