ମାଲେଗାଓଁ ବୋମା ବିସ୍ଫୋରଣ ମାମଲା; ଲେଫ୍ଟନାଣ୍ଟ କର୍ଣ୍ଣଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ ଏବଂ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ୭ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ
Published By : Prameya-News7 Bureau | October 31, 2018 IST
ନୂଆଦିଲ୍ଲୀ ୩୧|୧୦: ୨୦୦୮ରେ ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ଲେଫ୍ଟନାଣ୍ଟ କର୍ଣ୍ଣଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ, ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ୭ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଛି । ସ୍ବତନ୍ତ୍ର ଏନ୍ଆଇଏ କୋର୍ଟ ଏହି ଚାର୍ଜଫ୍ରେମ୍ କରିଛନ୍ତି। ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆକ୍ଟ ଅନୁଯାୟୀ ଆତଙ୍କବାଦୀ କାର୍ଯ୍ୟକଳାପ, ହତ୍ୟା ଷଡଯନ୍ତ୍ର ଭଳି ଅଭିଯୋଗ ହୋଇଛି । ଏ ଆଧାରରେ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ଚାଲିବ ।
ସ୍ବତନ୍ତ୍ର ଏନଆଇଏ ବିଚାରପତି ବିନୋଦ ପଦଲକର ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଛନ୍ତି। ମାମଲାର ଶୁଣାଣି ସମୟରେ ସମସ୍ତ ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ଥିଲେ । ଲେଫ୍ଟନାଣ୍ଟ କର୍ଣ୍ଣଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ, ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତ ମାନେ ହେଲେ ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ, ସମୀର କୁଲକର୍ଣ୍ଣି, ଅଜୟ ରାହିରକର, ସୁଧାକର ଦ୍ବିବେଦୀ । ଆସନ୍ତା ମାସ ୨ ତାରିଖରେ କୋର୍ଟ ଏହି ମାମଲାର ପରବର୍ତ୍ତି ଶୁଣାଣି କରିବେ।
ସୂଚନା ଅନୁସାରେ ୨୦୦୮ ସେପ୍ଟେମ୍ବର ୨୯ତାରିଖରେ ଉତ୍ତର ମହାରାଷ୍ଟ୍ରର ମୁମ୍ବାଇଠାରୁ ୨୦୦ କିମି ଦୂର ମାଲେଗାଓଁ ସହରରେ ଏକ ମସଜିଦ୍ ନିକଟରେ ମୋଟରସାଇକେଲ୍ ବୋମା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ।