ପଶ୍ଚିମବଙ୍ଗ ହିଂସା ଘଟଣା: ୨୦୦ରୁ ଅଧିକ ଗିରଫ, ୪୨ ମାମଲା ରୁଜୁ କଲା ପୋଲିସ୍‌

Published By : Prameya-News7 Bureau | June 13, 2022 IST

କୋଲକାତା, ୧୨/୦୬ : ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ନିଲମ୍ୱିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବୟାନ୍‌କୁ ନେଇ ପଶ୍ଚିମବଙ୍ଗରେ ହୋଇଥିବା ହିଂସାରେ ୨୦୦ରୁ ଅଧିକ ଲୋକଙ୍କୁ ଗରିଫ କରାଯାଇଛି । ଏଥି ସହିତ ବିରୋଧ ପ୍ରଦର୍ଶନରେ ସାମିଲଥିବା ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ୪୨ଟି ମାମଲା ରୁଜୁ କରିଛି ପୋଲିସ୍‌ । ଏନେଇ ସୋମବାର ଡିଜିପି ମନୋଜ ମାଲଭିୟ ସୂଚନା ଦେଇଛନ୍ତି । ପିଟିଆଇର ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ।

କୋଲକାତା ପୋଲିସ୍‌ ଏହି ଘଟଣାକୁ ନେଇ ନୂପୁର ଶର୍ମାଙ୍କୁ ସମନ୍‌ କରିଛି । ଏକ ଟିଭି ଡିବେଟ୍‌ରେ ଦେଇଥିବା ମନ୍ତବ୍ୟକୁ ନେଇ ପୋଲିସ୍‌ ତାଙ୍କୁ ସମନ୍‌ କରିଥିବା ଜଣାପଡ଼ିଛି । ବୟାନ୍‌ ରେକର୍ଡ କରାଯିବା ପାଇଁ ଜୁନ୍‌ ୨୦ ତାରିଖରେ ତାଙ୍କୁ ନାରକେଲଡାଙ୍ଗା ପୋଲିସ୍‌ ଷ୍ଟେସନ୍‌ରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ଅନ୍ୟପଟେ ତୃଣମୂଳ କଂଗ୍ରସର ସଂଖ୍ୟାଲଘୁ ସେଲ୍‌ର ସାଧାରଣ ସଂପାଦକ ମଧ୍ୟ ନୂପୁରଙ୍କ ମନ୍ତବ୍ୟକୁ ନେଇ କଣ୍ଟାଇ ପୋଲିସ୍‌ ଷ୍ଟେସନ୍‌ରେ ଏକ ଏଫ୍‌ଆଇଆର୍‌ ଦାଏର କରିଛନ୍ତି ।

ସୂଚନା ଥାଉକି ନୂପୁର ଶର୍ମାଙ୍କ ବୟାନକୁ ନେଇ ଶୁକ୍ରବାର ନମାଜ ପରେ ବିଭିନ୍ନ ସ୍ଥାନରେ ଥିବା ମସଜିଦ ଆଗରେ ଲୋକେ ବିକ୍ଷୋଭ କରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରି ଟେକାପଥର ମାଡ କରିଥିଲେ। ଏଥିରେ ଉପଦ୍ରବୀମାନେ ଛୋଟ ଛୋଟ ଛୁଆଙ୍କୁ ଆଗକୁ କରି ପଛରେ ରହି ପୋଲିସ ଉପରକୁ ଟେକାପଥର ମାଡ କରୁଥିବା ଦେଖା ଯାଇଥିଲା । ତେବେ ପଶ୍ଚିମବଙ୍ଗରେ ଏପରି କୌଣସି ଗତିବିଦ୍ଧିକୁ ପ୍ରଶ୍ରୟ ଦିଆଯିବନି ବୋଲି ମମତା ବାନାର୍ଜୀ ଚତାଇ ଦେଇଥିଲେ । ଶୁକ୍ରବାର ବିକ୍ଷୋଭ ବେଳେ ଉପଦ୍ରବୀମାନେ ବିଜେପି କାର୍ଯ୍ୟାଳୟରେ ପୋଡାଜଳା କରିଥିଲେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.