ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ, ଅଭିଯୁକ୍ତକୁ ୨୦ବର୍ଷ ଜେଲ୍ ଓ ୨୦ ହଜାର ଜରିମାନା

Published By : Prameya-News7 Bureau | August 08, 2022 IST

ଫୁଲବାଣୀ ୮।୮: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ଜରିମନା । ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍  ସୋମବାର  ଏହି ମାମଲାର ବିଚାର କରି ଅଭିଯୁକ୍ତ ଜି. ଉଦୟଗିରି ଥାନା ଅଞ୍ଚଳର ୪୬ବର୍ଷ ବୟସ୍କ ଜିତେନ୍ଦ୍ର କୁମାର ଦିଗଲକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଅପ୍ରେଲ ୪ ତାରିଖରେ ୨୦୧୯ ରେ ପୀଡିତା ଏକାକୀ ଘରେ ଥିବାବେଳେ ଜିତେନ୍ଦ୍ର ଘରକୁ ଯାଇ ରୁଟି ଖାଇବାକୁ ଦେଇଥିଲା । ଆଉ ରୁଟି ଖାଇବା ପରେ ପୀଡିତାଙ୍କ ମୁଣ୍ଡ ବୁଲାଇବାରୁ ସେ ଶୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଜିତେନ୍ଦ୍ର ପୀଡ଼ିତାଙ୍କୁ ନିକଟସ୍ଥ ଗାଁ ମଶାଣୀକୁ ନେଇ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘର ଲୋକେ ବହୁତ ଖୋଜାଖୋଜି କରିବା ପରେ ମଶାଣୀ ନିକଟରୁ ପୀଡିତାକୁ ଉଦ୍ଧାର କରିଥିଲେ । ପରେ ଏନେଇ ପୀଡିତାଙ୍କ ଭାଇ ଜି. ଉଦୟଗିରି ଥାନାରେ ଏତଲା ଦେଇଥିଲେ । ଜି. ଉଦୟଗିରି ପୋଲିସ ଏ ନେଇ ୫୨/୨୧/୦୪/୨୦୧୯ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଥଲା । ସୋମବାର ବିଚାରପତି ସେହି ମାମଲାର ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.