ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ, ଜଙ୍ଗଲକୁ ଡାକିନେଇ ଘଟାଇଥିଲା କାଣ୍ଡ

Published By : Prameya-News7 Bureau | December 06, 2022 IST

ବାରିପଦା,୦୬।୧୨: ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ତଥା ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟ ମୟୁରଭଞ୍ଜ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ରାୟ ଶୁଣାଣି କରିଛନ୍ତି । ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ୫୮ ବର୍ଷୀୟା ଦୁଲାଲ ସିଂକୁ ୨୦ବର୍ଷ ସଶ୍ରମ କରାଦଣ୍ତ ସହିତ ୧୦ହଜାର ଟଙ୍କା ଜୋରିମାନା ଅନାଦେୟ ୧ବର୍ଷ ଅଧିକ ଦଣ୍ଡ ଭୋଗିବାକୁ ରାୟରେ ପ୍ରକାଶ କରିଛନ୍ତି ।

ସୂଚନା ଥାଉକି ୨୦.୦୫.୨୦୧୯ ମସିହାରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା । ସକାଳ ୯ଟା ସମୟରେ ନାବାଳିକାକୁ ଘରୁ ଡାକି ନେଇ କଛିମବିଲା ଗ୍ରାମର ଅଭିଯୁକ୍ତ ଦୁଲାଲ ସିଂ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ତେବେ ପୀଡିତାଙ୍କ ଭାଇ ନାବାଳିକାଙ୍କୁ ଉଦ୍ଧାର କରି ଥାନାରେ ଅଭିଯୋଗ କରିଥିଲେ । ବେତନଟୀ ଥାନା ପୋଲିସ କଛିମବିଲା ଗ୍ରାମର ଅଭିଯୁକ୍ତ ଦୁଲାଲ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦୀର୍ଘ ୩ବର୍ଷ ପରେ ସମସ୍ତ ସାକ୍ଷୀ, ପ୍ରମାଣ ଓ ମେଡ଼ିକାଲ ରିପୋର୍ଟକୁ ଭିତ୍ତି କରି ବିଚାରପତି ମାମଲାର ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।

ଅନ୍ୟପଟେ କେଶ ଚାଲିଥିବା ଭିତରେ ପୀଡିତାର ମୃତ୍ୟୁ ଘଟିଥିବାରୁ ସରକାରଙ୍କ ତରଫରୁ କ୍ଷତିପୂରଣ ବାବଦ ୨ଲକ୍ଷ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ମାମଲାକୁ ସ୍ବତନ୍ତ୍ର ପୋକ୍ସ କୋର୍ଟ ଓକିଲ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.