ଡାକ୍ତର ନା ଭଗବାନ: ୨୦ ଟଙ୍କାରେ ଦେଖୁଛନ୍ତି ରୋଗୀ: ୫୦ ବର୍ଷ ହେବ ଯୋଗାଇ ଆସୁଛନ୍ତି ନିରନ୍ତର ସେବା

Published By : Prameya-News7 Bureau | July 02, 2022 IST

ଜଲନ୍ଧର ୦୨/୦୭: ଡାକ୍ତର ଆମ ପାଇଁ ଜୀବନ୍ତ ଠାକୁର । ସେମାନଙ୍କ ନିଷ୍ଠା, ସମର୍ପଣଭାବ ଓ ନିରନ୍ତର ପ୍ରଚେଷ୍ଟା ଫଳରେ ରୋଗୀ ନୂଆ ଜୀବନ ପାଇଥାନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଜବଲପୁରର ଡାକ୍ତର ଏମ୍‌ସି ଡାୱର । ୭୬ ବର୍ଷୀୟ ଡାୱର ଗତ ୫୦ ବର୍ଷରୁ ମାତ୍ର ୨୦ ଟଙ୍କା ବା ତା’ଠୁ କମ୍‌ ଟଙ୍କାରେ ରୋଗୀ ସେବା କରିଆସୁଛନ୍ତି ।

୧୯୪୬ ମସିହାରେ ବର୍ତ୍ତମାନର ପାକିସ୍ତାନରେ ଡାୱର ଜନ୍ମଗ୍ରହଣ କରିଥିଲେ । ଦେଢ଼ ବର୍ଷ ବୟସରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ପରିବାର ସମର୍ଥନରେ ପଞ୍ଜାବର ଜଲନ୍ଧରରେ ସେ ସ୍କୁଲ ଶିକ୍ଷା ଶେଷ କଲେ । ତା’ପରେ ମଧ୍ୟପ୍ରଦେଶର ଜବଲପୁରରୁ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କଲେ ।

ଡାୱର କହନ୍ତି, ସୈନ୍ୟବାହିନୀରେ ଭର୍ତ୍ତି ହେବା ପାଇଁ ସେ ପରୀକ୍ଷା ଦେଇଥିଲେ । ସେତେବେଳେ ୫୩୩ ଆବେଦନକାରୀଙ୍କ ମଧ୍ୟରୁ କେବଳ ୨୩ ଜଣଙ୍କୁ ଚୟନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ୯ମ ସ୍ଥାନରେ ଡାୱର ଥିଲେ । ୧୯୭୧ ମସିହାରେ ଭାରତ-ପାକ୍‌ ଯୁଦ୍ଧ ସମୟରେ ତାଙ୍କର ପୋଷ୍ଟିଂ ବାଂଲାଦେଶରେ ହୋଇଥିଲା । ହଜାର ହଜାର ଆହତ ଯବାନଙ୍କର ସେ ଚିକିତ୍ସା କରିଥିଲେ ।

ଯୁଦ୍ଧ ଶେଷ ହେବା ପରେ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ସମୟ ପୂର୍ବରୁ ଅବସର ନେବାକୁ ପଡ଼ିଲା । ଏହା ପରେ ଜବଲପୁରରେ ସେ ଅଭ୍ୟାସ ଆରମ୍ଭ କଲେ । ୧୯୭୨ ମସିହାରେ ସେ ପ୍ରଥମେ ରୋଗୀ ସେବା ଆରମ୍ଭ କରିଥିଲେ । ୧୯୮୬ ମସିହା ପର୍ଯ୍ୟନ୍ତ ସେ ରୋଗୀଙ୍କଠାରୁ ମାତ୍ର ୨ ଟଙ୍କା ଶୁଳ୍କ ନେଉଥିଲେ । ଏହା ପରେ ୩ ଟଙ୍କା ନେଲେ । ୧୯୯୭ ମସିହାରେ ୫ ଟଙ୍କା ନେବା ଆରମ୍ଭ କଲେ ।

ଆର୍ଥିକ ସମସ୍ୟା ଯୋଗୁ ୧୫ ବର୍ଷ ପରେ ୨୦୧୨ ମସିହାରେ ରୋଗୀ ଶୁଳ୍କ ସେ ୧୦ ଟଙ୍କାକୁ ବଢ଼ାଇଲେ । ଗତ ବର୍ଷ ନଭେମ୍ବରରୁ ସେ ୨୦ ଟଙ୍କା ଶୁଳ୍କ ନେଉଛନ୍ତି । ଏତେ କମ୍‌ ଶୁଳ୍କରେ ଡାୱର ଖର୍ଚ୍ଚ କେମିତି ଚଳାଉଛନ୍ତି? ଏହାର ଜବାବରେ ‘ସାଦାସିଧା ଜୀବନ ଓ ଉଚ୍ଚ ବିଚାର’ର ଦର୍ଶନ ବୋଲି ସେ କହିଛନ୍ତି । ୧୯୭୨ ମସିହାରେ ନିଜ କ୍ଲିନିକ୍‌ରେ ଯେଉଁ ଟେବଲ, ଚେୟାର ଓ ଶଯ୍ୟା ଥିଲା, ଆଜି ବି ସେଗୁଡ଼ିକୁ ସେ ବ୍ୟବହାର କରୁଛନ୍ତି । ଏହିଭଳି ଭାବେ ଅର୍ଥ ସଞ୍ଚୟ କରି ସେ ନିଜ ପୁଅ ଓ ଝିଅକୁ ଉଚ୍ଚ ଶିକ୍ଷା ଦେଇଛନ୍ତି ।

ଗତ ୫୦ ବର୍ଷରୁ ସପ୍ତାହରେ ୬ ଦିନ ରୋଗୀ ଦେଖୁଥିବା ଡାୱର ପ୍ରତିଦିନ ୧୫୦-୨୦୦ ରୋଗୀଙ୍କ ଚିକିତ୍ସା କରୁଛନ୍ତି । କିଛି ରୋଗୀ ତାଙ୍କର ନିତିଦିନିଆ ଗ୍ରାହକ ଭଳି ପ୍ରତ୍ୟେକ କଥାରେ ତାଙ୍କ ପଖରେ ପହଞ୍ଚୁଛନ୍ତି । କେବଳ ଜବଲପୁର ନୁହେଁ, ଦୂର ଦୂରାନ୍ତରୁ ମଧ୍ୟ ରୋଗୀ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଛନ୍ତି । ଡାୱର କହନ୍ତି ‘ମୋତେ ଲୋକଙ୍କଠାରୁ ଢେର ଭଲପାଇବା ମିଳୁଛି । ମୋର କିଡ୍‌ନି ଅଚଳ ହୋଇଯିବା ପରେ ମୋ ରୋଗୀମାନେ ମୋ ପାଇଁ ପ୍ରାର୍ଥନା କରି ଶାରଦା ଦେବୀ ମନ୍ଦିରଠୁ ଗୁରୁଦ୍ୱାରା ପର୍ଯ୍ୟନ୍ତ ଯାଇଥିଲେ । ଆଜି ମୁଁ ଯେଉଁଠି ଅଛି, ତାହା କେବଳ ସେମାନଙ୍କ ପ୍ରାର୍ଥନାର ଫଳ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.