ଭଦ୍ରକ ୧୧/୮: ୧କୋଟିର ଲୋଭ ଦେଖାଇ ଠକିନେଲେ ୨୦ ଲକ୍ଷ । ଠକେଇର ଶିକାର ହୋଇଛନ୍ତି ବିଜେପି ନେତା ସୁଧାଂଶୁ ଶେଖର ନାୟକ । ଥାନାରେ ଅଭିଯୋଗ ପରେ ଘଟଣା ପଦାକୁ ଆସିଛି । ମଇ ମାସ ୨୮ ତାରିଖରେ ଭୁବନେଶ୍ବରରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ନେଇ ତାଙ୍କ ଘରକୁ ଆସିଥିଲେ । ମହିଳା ଜଣକ ନିଜକୁ ପ୍ରଶଂସକର ପରିଚୟ ଦେଇ ଫାଇନାନ୍ସରଙ୍କ ମାଧ୍ୟମରେ କୋଟିଏ ଟଙ୍କା ସାହାଯ୍ୟ କରିପାରିବେ ବୋଲି କହିଥିଲେ । ଏଥିସହିତ ଯୋଗେନ୍ଦ୍ର ନାମରେ ଜଣେ ବ୍ୟକ୍ତିଙ୍କୁ ଫୋନ କରି ଟଙ୍କା ଦେବାକୁ କହିଥିଲେ । ଯୋଗେନ୍ଦ୍ରଙ୍କ ମୋବାଇଲ ନମ୍ବର ମଧ୍ୟ ଦେଇଥିଲେ ।
ସୁଧାଂଶୁ ୨ ଦିନ ପରେ ଯୋଗେନ୍ଦ୍ରଙ୍କୁ ଫୋନ୍ କରିଥିଲେ । ତୁମେ ବିଳମ୍ବ କରିଦେଲ, ସାହାଯ୍ୟ କରିବାକୁ ଚେଷ୍ଟା କରିବି କହି ଫୋନ କାଟିଦେଇଥିଲେ ଯୋଗେନ୍ଦ୍ର । ତା’ ପର ଦିନ ମହିଳା ଜଣକ ସୁଧାଂଶୁଙ୍କୁ ଫୋନ କରି ତୁରନ୍ତ ୨ଟି ଆକାଉଣ୍ଟରେ ୧୦ଲକ୍ଷ ଟଙ୍କା ଲେଖାଏଁ ଜମା କରିବା ପରେ ତୁମକୁ ଦିନ ଦୁଇଟା ସୁଦ୍ଧା ୧କୋଟିଟଙ୍କା ମିଳିଯିବ ବୋଲି କହିଥିଲେ ।ଏଥିସହ ୨ଟି ଆକାଉଣ୍ଟ୍ ନମ୍ବର୍ ମଧ୍ୟ ପଠାଇଥିଲେ ।ନିର୍ବାଚନ ବ୍ୟସ୍ତତା ମଧ୍ୟରେ କିଛି ନଭାବି ମହିଳାଙ୍କ ୨ଟି ଆକାଉଣ୍ଟରେ ୨୦ ଲକ୍ଷ ଟଙ୍କା ଜମା କରିଥିଲେ ସୁଧାଂଶୁ । ଏହା ପରେ ୧କୋଟି ଟଙ୍କା ପଠାଇବା ଦୂର କଥା ମହିଳା ଜଣକ ଚତୁରତାର ସହ ହ୍ବାଟ୍ସ ଆପ୍ରୁ ମେସେଜ ଡିଲିଟ କରି ନମ୍ବରକୁ ବ୍ଲକ କରି ଦେଇଥିଲେ । ଠକେଇର ଶିକାର ହୋଇଥିବା ଜାଣିବା ପରେ ସୁଧାଂଶୁ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ସଂପର୍କରେ ସୁଧାଂଶୁଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।