ନୂଆଦିଲ୍ଲୀ: ଭାରତୀୟ ପତ୍ନତତ୍ୱ ସର୍ଭେକ୍ଷଣ (ଏଏସଆଇ) ଧାର ଜିଲ୍ଲା ସ୍ଥିତ ଭୋଜଶାଳା ସର୍ଭେ ପୂରା କରି ୨ ହଜାର ପୃଷ୍ଠାର ନିଜ ରିପୋର୍ଟ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚରେ ଦାଖଲ କରିଛନ୍ତି । ଏବେ ଜୁଲାଇ ୨୨ରେ ଏହି ମାମଲାର ଶୁଣାଣି ହେବ । ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ୨୩ ବର୍ଷ ପୂର୍ବେ ଲାଗୁ କରାଯାଇଥିବା ବ୍ୟବସ୍ଥାକୁ ଏହି ରିପୋର୍ଟ ଆଧାରରେ ହାଇକୋର୍ଟ ବଦଳାଇବେ କି ? ହିନ୍ଦୁ ପକ୍ଷ ଓକିଲ ଦାବି କରିଛନ୍ତି ଯେ ସର୍ଭେ ସମୟରେ ଏପରି ପ୍ରମାଣ ମିଳିଛି, ଯାହା ପ୍ରମାଣିତ କରୁଛି ଯେ ଏଠାରେ ମନ୍ଦିର ଥିଲା ।
ସର୍ଭେ ରିପୋର୍ଟ ଉପରେ ମତ ରଖି ହିନ୍ଦୁ ପକ୍ଷ ଆଇନଜୀବୀ ହରି ଶଙ୍କର ଜୈନ କହିଛନ୍ତି ଯେ ସର୍ଭେ ବେଳେ ପରିସରରୁ ୯୪ରୁ ଅଧିକ ଦେବାଦେବୀଙ୍କ ଭଗ୍ନ ମୂର୍ତ୍ତି ଉଦ୍ଧାର କରାଯାଇଛି । ଏହାସହ ଏଠାରେ କେବଳ ହିନ୍ଦୁ ପୂଜାପାଠ ହେବା ଦରକାର ।
ହରି ଶଙ୍କର ଜୈନ କହିଛନ୍ତି ଯେ ଆଜି ହେଉଛି ଖୁସିର ଦିନ । ହିନ୍ଦୁମାନେ ଶତବ୍ଦୀ ଧରି ଧାରରେ ପୂଜା କରିବା ପାଇଁ ଚାହିଁ ବସିଥିଲେ, ଯେଉଁଥି ପାଇଁ ଆନ୍ଦୋଳନ ମଧ୍ୟ କରାଯାଇଥିଲା ଏବଂ ପ୍ରଥମ ଯାଚିକା ଯାହା ମୁଁ ହିନ୍ଦୁ ପକ୍ଷରୁ ଦାଖଲ କରିଥିଲି, ସେଥିରେ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ଏହି କଥା ସର୍ଭେ ରିପୋର୍ଟରେ ପ୍ରମାଣିତ ହୋଇଛି । ସେଠାରେ ପ୍ରଥମେ ହିନ୍ଦୁ ମନ୍ଦିର ଥିଲା ବୋଲି କେହି ମଧ୍ୟ ମନା କରିପାରିବେ ନାହିଁ । ଏବଂ ସେହି ସ୍ଥାନରେ କେବଳ ହିନ୍ଦୁ ପୂଜା ହୋଇପାରିବ । ୨୦୦୩ ଏପ୍ରିଲ ୭ରେ ଏଏସଆଇ, ନମାଜ ପାଠ ପାଇଁ ଯେଉଁ ଆଦେଶ ଦେଇଥିଲେ, ତାହା ଅସାମ୍ୱିଧାନିକ । ଅନ୍ୟପଟେ ୯୪ରୁ ଅଧିକ ଦେବାଦେବୀଙ୍କ ଭଗ୍ନ ମୂର୍ତ୍ତି ମିଳିଛି । ସେଠାକାର ସମସ୍ତ ସ୍ତମ୍ଭ ଉପରେ ବେଦ-ଶାସ୍ତ୍ରର ଚିହ୍ନ ମିଳିଛି, ଶ୍ଲୋକ ମଧ୍ୟ ଲେଖାଯାଇଛି ।
ଜୁଲାଇ ୪ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଜାରି ଜୁଲାଇ ୧୫ ସୁଦ୍ଧା ସର୍ଭେ ରିପୋର୍ଟକୁ କୋର୍ଟରେ ଉପସ୍ଥାପନ କରିବା ପାଇଁ କହିଥିଲେ । ହିନ୍ଦୁ ଫ୍ରଣ୍ଟ ଫର୍ ଜଷ୍ଟିସ୍ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ମାର୍ଚ୍ଚ ୧୧ରେ ହାଇକୋର୍ଟ ସାଇଣ୍ଟିଫିକ୍ ସର୍ଭେ ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରାୟ ତିନି ମାସ ଯାଏ ଏହି ସର୍ଭ ଚାଲିଥିଲା ।
ହିନ୍ଦୁ ପକ୍ଷ ଭୋଜଶାଳା କମ୍ପ୍ଲେକ୍ସକୁ ଦେବୀ ବାଗଦେବୀ (ସରସ୍ୱତୀ)ଙ୍କୁ ସମର୍ପିତ ମନ୍ଦିର ବୋଲି ଦାବି କରନ୍ତି, ଅନ୍ୟପଟେ ମୁସଲମାନ ପକ୍ଷ ଏହାକୁ କମଲ ମଉଲା ମସଜିଦ୍ ବୋଲି ଦାବି କରନ୍ତି । ଏହି ବିବାଦ ଦୀର୍ଘ ବର୍ଷର । ତେବେ ୨୦୦୩ ମସିହାରେ ଏଏସ୍ଆଇ ଏକ ଆଦେଶ ଜାରି କରି ହିନ୍ଦୁଙ୍କୁ ମଙ୍ଗଳବାର ପୂଜା କରିବା ପାଇଁ ଅନୁମତି ଦେଇଥିବା ବେଳେ ଶୁକ୍ରବାର ମୁସଲମାନଙ୍କୁ ନମାଜ ପାଇଁ ଅନୁମତି ଦେଇଥିଲେ । ଏହି ବ୍ୟବସ୍ଥା ଗତ ୨୧ ବର୍ଷ ଧରି ଚାଲିଥିବା ବେଳେ ଏହାକୁ ନେଇ ବିବାଦ ମଧ୍ୟ ରହିଛି । ହିନ୍ଦୁ ଫ୍ରଣ୍ଟ ଫର୍ ଜଷ୍ଟିସ୍ ଏହି ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଥିଲା । ଏବେ ଏଏସ୍ଆଇ ରିପୋର୍ଟର କପି ଉଭୟ ପକ୍ଷକୁ ଦିଆଯିବ । କୋର୍ଟ ଉଭୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦେଇ ରିପୋର୍ଟ ସାର୍ବଜନୀନ ନକରିବା ପାଇଁ କହିଛନ୍ତି ।