ମହିଳା ଟି-୨୦ ବିଶ୍ଵକପ୍ର ସେମି ଫାଇନାଲ୍ରେ ପହଞ୍ଚିଲେ ୨ ଦଳ, ଆଜି ତୃତୀୟ ଟିମ୍ ହୋଇପାରେ ଭାରତ
20/02/2023 at 12:41 PM

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ଵକପ୍ ୨୦୨୩ର ରୋମାଞ୍ଚ ଚରମରେ ପହଞ୍ଚିଛି। ଗ୍ରୁପ ପର୍ଯ୍ୟାୟରେ ସରିବାକୁ ଯାଉଛି, ହେଲେ ଏ ପର୍ଯ୍ୟନ୍ତ କେବଳ ଦୁଇଟି ଦଳ ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏଥିରୁ ଗୋଟିଏ ଦଳ ଅଷ୍ଟ୍ରେଲିଆ ହୋଇଥିବା ବେଳେ ଦ୍ଵିତୀୟ ଦଳ ହେଉଛି ଇଂଲଣ୍ଡ। ଭାରତୀୟ ଦଳ ମଧ୍ୟ ସେମି ଫାଇନାଲ୍ରେ ପହଞ୍ଚିବାର ନିକଟତର ହୋଇଛି। ଭାରତ ଆଜି ଗ୍ରୁପ ପର୍ଯ୍ୟାୟରେ ଶେଷ ମୁକାବିଲାରେ ଆୟରଲାଣ୍ଡକୁ ଭେଟିବ। ଯଦି ହରମନପ୍ରୀତଙ୍କ ଦଳ ଏହି ମ୍ୟାଚ୍ ଜିତି ନିଏ ତେବେ ତୃତୀୟ ଦଳ ଭାବେ ସେମି ଫାଇନାଲ୍ରେ ପହଞ୍ଚିବ ଭାରତ।
ସେମି ଫାଇନାଲ୍ରେ ପହଞ୍ଚିବାକୁ ହେଲେ ଭାରତକୁ ଯେମିତି ହେଲେ ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍ ଜିତିବାକୁ ପଡିବ। ଜିତିଲେ ଦଳ ୬ ପଏଣ୍ଟ ସହ ଗ୍ରୁପ ବିରେ ଇଂଲଣ୍ଡ ପରେ ସେମି ଫାଇନାଲ୍ରେ ପହଞ୍ଚିବ। ଯଦି ଭାରତୀୟ ମହିଳା ଦଳ ପରାସ୍ତ ହୁଏ ତେବେ ପାକିସ୍ତାନ ପାଇଁ ସେମି ଫାଇନାଲ୍ର ଦ୍ଵାର ଖୋଲିଯିବ। ଭାରତ ୪ ପଏଣ୍ଟ ସହ ଗ୍ରୁପର ଦ୍ଵିତୀୟରେ ରହିଯିବ। ଏହି ସ୍ଥିତିରେ ପାକିସ୍ତାନ ଯଦି ନିଜର ଶେଷ ମ୍ୟାଚ୍ ଜିତେ ତେବେ ଭାରତକୁ ପଛରେ ପକାଇ ସେମି ଫାଇନାଲ୍ରେ ପହଞ୍ଚିଯିବ। କାରଣ ପାକିସ୍ତାନର ନେଟ୍ ରନ ରେଟ୍ ଭାରତଠୁ ଉନ୍ନତ ରହିଛି।