ଯୁବତୀଙ୍କୁ ଦୁଷ୍କର୍ମ କଲେ ଦୁଇ ପୋଲିସ୍ କର୍ମଚାରୀ : ଘଟଣାସ୍ଥଳରେ ଉତ୍ତେଜନା

Published By : Prameya-News7 Bureau | February 17, 2020 IST

ଗୋରଖପୁର ୧୭/୨: ଉତ୍ତରପ୍ରଦେଶର ଗୋରଖପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ମହିଳା ଦୁଇ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଦୁଇ ପୋଲିସ୍ କର୍ମଚାରୀ ତାଙ୍କୁ ଅପହରଣ କରିଥିଲେ। ପୋଲିସ୍ କର୍ମଚାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଯୋଗୁଁ ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି ହୋଇଛି। ପୀଡ଼ିତା ଯୁବତୀ ଅଭିଯୋଗ କରିଛନ୍ତି ଯେ ଦୁଇ ପୋଲିସ୍ କର୍ମଚାରୀ ତାଙ୍କୁ ଘଣ୍ଟା ଘଣ୍ଟା ଧରି ବନ୍ଧକ ରଖିଥିଲେ। ଏହି ଘଟଣା ସାମନାକୁ ଆସିବା ପରେ ପୋଲିସ୍ ସକ୍ରିୟ ହୋଇଥିଲା ଏବଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଯୁବତୀଙ୍କ କହିବା ଅନୁସାରେ ସେ ପିଲାଙ୍କୁ ପାଠ ପଢ଼ାନ୍ତି। ସେ କହିଥିଲେ ଯେ ସେ ନିଜ ଭଉଣୀଙ୍କ ଘରୁ ରାତିରେ ତାଙ୍କ ଘରକୁ ଯିବା ପାଇଁ ବାହାରିଥିଲେ। ସେହି ସମୟରେ ରାସ୍ତାରେ ଦୁଇ ଜଣ ପୋଲିସ୍ କର୍ମଚାରୀ ତାଙ୍କୁ ଅଟକାଇ ତାଙ୍କୁ ନିଜ ବାଇକରେ ବସାଇଥିଲେ ଏବଂ ଏହା ପରେ ତାଙ୍କୁ ରେଲଓ୍ବେ ଷ୍ଟେସନ ପାଖରେ ଏକ ହୋଟେଲ୍ ରୁମରେ ନେଇ ୩ଘଣ୍ଟା ବନ୍ଧକ ରଖିଥିଲେ। ସେଠାରେ ସେମାନେ ପୀଡ଼ିତାଙ୍କୁ ମାରପିଟ କରିବା ସହ ଦୁଷ୍କର୍ମ କରିଥିଲେ।

ଯୁବତୀଙ୍କ କହିବା ଅନୁସାରେ ଅଭିଯୁକ୍ତମାନେ ତାଙ୍କୁ ରାତି ୧ଟାରେ ଛାଡ଼ିଥିଲେ। ଏହା ପରେ ସେ ଅଟୋରେ ଘରକୁ ଫେରିଥିଲେ। ଚିକିତ୍ସା ପାଇଁ ଯୁବତୀଙ୍କୁ ଜିଲ୍ଲା ହସ୍ପିଟାଲକୁ ନିଆଯିବାରୁ ସେଠାରେ ଭିଡ଼ ଜମି ଯାଇଥିଲା। ଏହା ପରେ ତୁରନ୍ତ ସେଠାରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପାଇଁ ପୋଲିସ୍ ଯୁବତୀ ସହ ସେହି ହୋଟେଲ ରୁମକୁ ମଧ୍ୟ ଯାଇଥିଲା। ସେଠାରେ ଉପସ୍ଥିତ ଥିବା ଗାର୍ଡ଼ ସହ ମଧ୍ୟ ପୋଲିସ୍ ପଚରାଉଚୁରା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.