ଉଦଳା: ମୁହାଁମୁହିଁ ଧକ୍କା ପରେ ବାଇକ ଉପରେ ଚଢ଼ିଗଲା ଟ୍ରାକ୍ଟର। ଏଥିରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ଘଟିଛି ଉଦଳା ଥାନା କୁଟଲିଂ ରାଇସ ମିଲ ଛକରେ। ସୂଚନା ଅନୁଯାୟୀ, କୁଟଲିଂ ଗ୍ରାମରୁ ଏକ ଇଟା ବୋଝେଇ ଟ୍ରାକ୍ଟର ବହୁବନ୍ଧ ଗ୍ରାମ ଅଭିମୁଖେ ଯାଉଥିଲ।ଏହି ସମୟରେ ବିପରୀତ ଦିଗରୁ ବାଇକରେ ଦୁଇ ଜଣ ଯୁବକ କୁଟଲିଂକୁ ଫେରୁଥିଲେ।
ହେଲେ ରାଇସ ମିଲ ଛକ ନିକଟରେ, ଦ୍ରୁତ ଗତିରେ ଆସି ବାଇକକୁ ଧକ୍କା ଦେଇଥିଲା ଟ୍ରାକ୍ଟର। ଧକ୍କା ଦେବା ପରେ ଉକ୍ତ ବାଇକ ଉପରେ ଚଢ଼ିଯାଇଥିଲା ଟ୍ରାକ୍ଟର, ଯାହା ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ଦୁଇ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ଟ୍ରାକ୍ଟରଟି ରାସ୍ତା ପାର୍ଶ୍ଵକୁ ଓଲଟି ପଡ଼ିଥିଲା।
ମୃତକ ଦୁଇ ଜଣ ହେଲେ କୁଟଲିଂ ଗ୍ରାମର ଭାଦ ହେମ୍ବ୍ରମ ଓ ରାମେଶ୍ୱର ହେମ୍ବ୍ରମ। ଦୁର୍ଘଟଣା ଘଟାଇବା ପରେ ଟ୍ରାକ୍ଟର ଡ୍ରାଇଭର ସମେତ ଟ୍ରାକ୍ଟରରେ ଥିବା ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ହେଲେ ଟ୍ରାକ୍ଟର ହେଲ୍ପରକୁ ଗ୍ରାମବାସୀ ଅଟକ ରଖିଛନ୍ତି।
ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇ ମୃତଦେହ ଜବତ କରିଛି। ଏହି ଘଟଣାକୁ ନେଇ କିଛି ସମୟ ପାଇଁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା।