ନୂଆଦିଲ୍ଲୀ ୦୫/୦୭ : ଆଇପିଏଲର ଆଗାମୀ ସିଜନରେ ଦୁଇଟି ନୂଆ ଟିମ ସାମିଲ କରାଯିବ। ଅଗଷ୍ଟ ସୁଦ୍ଧା ବିସିସିଆଇ ଏହାର ଟେଣ୍ଡର ବାହାର କରିପାରେ। ଏହାଦ୍ୱାରା ବିସିସିଆଇର ଅଧିକ ଆୟ ହେବ। ଏବେ ସୁଦ୍ଧା ଆଇପିଏଲରେ ୮ଟି ଟିମ ସାମିଲ ଥିଲେ। ୨୦୨୧ ଆଇପିଏଲ ମେ' ୪ ତାରିଖରେ କରୋନା କାରଣରୁ ସ୍ଥଗିତ କରାଯାଇଥିଲା। ୬୦ ରୁ ୨୯ ମ୍ୟାଚ ଖେଳାସାରିଥିଲା। ବାକି ୩୧ଟି ମ୍ୟାଚ ସେପ୍ଟେମ୍ବର-ଅକ୍ଟୋବରରେ ୟୁଏଇରେ ହେବ। ତେବେ ମ୍ୟାଚ ସିଡ୍ୟୁଲ ଏବେ ଯାଏଁ ପ୍ରସ୍ତୁତ ହୋଇନାହିଁ।
ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାୟୀ, ଅଗଷ୍ଟରେ ବିସିସିଆଇ ଦୁଇଟି ନୂଆ ଟିମ ପାଇଁ ଟେଣ୍ଡର ବାହାର କରିପାରେ। ଅକ୍ଟୋବର ସୁଦ୍ଧା ଦୁଇଟି ନୂଆ ଟିମ ସାମିଲ ହୋଇପାରନ୍ତି। ଗୋୟନକା ଗ୍ରୁପ ଓ ଅଦାନୀ ଗ୍ରୁପ ଆଇପିଏଲ ଟିମ କିଣିବା ରେସରେ ଅଛନ୍ତି। ଅହମଦାବାଦ ଓ ଲକ୍ଷ୍ନୌ ଫ୍ରାଞ୍ଚାଇଜି ସହର ରେସରେ ଆଗରେ ଅଛନ୍ତି। ଦୁଇଟି ନୂଆ ଟିମ ସାମିଲ ହେବାପରେ ମ୍ୟାଚ ସଂଖ୍ୟା ୧୫ ରୁ ୩୦ ବଢିବ। ବିସିସିଆଇ ଆସନ୍ତା ବର୍ଷ ମିଡ଼ିଆ ରାଇଟ୍ସକୁ ନେଇ ଟେଣ୍ଡର ବାହାର କରିପାରେ।
ଖବର ଅନୁଯାୟୀ, ବିସିସିଆଇ ଡିସେମ୍ବରରେ ଆଇପିଏଲର ମେଗା ଅକ୍ସନ କରିପାରେ। ଅର୍ଥାତ ଖେଳାଳିଙ୍କ ନିଲାମୀ ପୁଣିଥରେ ହେବ। ତେବେ ସବୁ ଟିମ ୪ ଖେଳାଳିଙ୍କୁ ରିଟେନ କରିପାରିବେ। କିନ୍ତୁ ଏଥିପାଇଁ ସର୍ତ୍ତ ରଖାଯାଇଛି। ରିଟେନ ଖେଳାଳିଙ୍କ ମଧ୍ୟରେ ୩ ଦେଶୀ ଓ ଜଣେ ଜଣେ ବିଦେଶୀ ଖେଳାଳି କିମ୍ବା ଦୁଇ ଦେଶୀ ଓ ଦୁଇ ବିଦେଶୀ ଖେଳାଳି ରହିବେ। ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ଥର ଆଇପିଏଲ ଜିତିଛି।
ବିସିସିଆଇ ଅକ୍ସନ ସମୟରେ ଟିମମାନଙ୍କର ସାଲାରୀ ପର୍ସ ଅର୍ଥାତ ଅକ୍ସନରେ ଖର୍ଚ୍ଚ ହେଉଥିବା ରାଶି ବୃଦ୍ଧି କରାଯିବ। ପୂର୍ବରୁ ଜଣେ ଫ୍ରାଞ୍ଚାଇଜି ସର୍ବାଧିକ ୮୫ କୋଟି ଟଙ୍କା ଖର୍ଚ୍ଚ କରିପାରୁଥିଲେ। ତାକୁ ବୃଦ୍ଧି କରି ୯୦ କୋଟି କରାଯାଇଛି। ଯଦି ୧୦ ଟିମ ଖେଳନ୍ତି ତାହେଲେ ୫୦ କୋଟି ଟଙ୍କା ଟଙ୍କା ବୃଦ୍ଧି ହେବ। ପ୍ରତ୍ୟେକ ଟିମକୁ ନିଜର ପର୍ସରୁ ୭୫ ପ୍ରତିଶତ ରାଶି ଖର୍ଚ୍ଚ କରିବାକୁ ହେବ। ଆଗାମୀ ୩ଟି ସିଜନରେ ଏହି ରାଶି ଜାରି ରହିବ।
ଗୋଟିଏ ଆଇପିଏଲ ଟିମରେ ସର୍ବାଧିକ ୨୫ ଖେଳାଳିଙ୍କୁ ରଖାଯାଇପାରେ। ଦୁଇଟି ନୂଆ ଟିମ ସାମିଲ ହେବାପରେ ସର୍ବାଧିକ ୫୦ ନୂଆ ଖେଳାଳିଙ୍କୁ ଟି-୨୦ ଲିଗରେ ଖେଳିବାକୁ ମୌକା ମିଳିବ। ଗୋଟିଏ ଟିମରେ ସର୍ବାଧିକ ୮ ବିଦେଶୀ ଟିମ ଖେଳାଳି ରହିପାରିବେ। ଫଳରେ ୩୪ ଦେଶୀ ଓ ୧୬ ବିଦେଶୀ ଖେଳାଳି ନୂଆ ଫ୍ରାଞ୍ଚାଇଜିରେ ସାମିଲ ହୋଇପାରିବେ। ଆଇପିଏଲ ୨୦୦୮ ରୁ ଆରମ୍ଭ ହୋଇଛି। ଏହାପରଠାରୁ ଦୁନିଆର ସମସ୍ତ ବଡ ବଡ ଦେଶ ନିଜ ନିଜର ଟି-୨୦ ଲିଗ ଆୟୋଜନ କରୁଛନ୍ତି।