୨ ଜ୍ୱାଇଁଙ୍କୁ ଆଜୀବନ କାରାଦଣ୍ଡ; ଶ୍ୱସୁରଙ୍କୁ କରିଥିଲେ ନିର୍ମମ ହତ୍ୟା

Published By : Prameya-News7 Bureau | January 12, 2023 IST

ବାରିପଦା ୧୨/୦୧: ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କଲେ ଅଦାଲତ। ଏକ ହତ୍ୟା ମାମଲାର ଶୁଣାଣି କରି ଶୁକ୍ରବାର ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଏନେଇ ରାୟ ପ୍ରକାଶ କରିଛନ୍ତି। ଏହା ସହିତ ଅଭିଯୁକ୍ତମାନଙ୍କୁ ୪ହଜାର ଟଙ୍କା ଜୋରିମାନା ଦେବାରୁ ନିର୍ଦ୍ଦେଶ ଦିଆଯାଇଛି। ଜୋରିମାନା ଅନାଦେୟ ହେଲେ ଅଧିକ ୬ମାସ କାରାଦଣ୍ଡ ବଢ଼ିବ ବୋଲି ଅଦଲତ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତଙ୍କ ପରିଚୟ ରାଜୁ ସିଂ(୩୮) ଓ ଲବ ସିଂ(୪୬)। ସେମାନେ ବୈସିଙ୍ଗା ଥାନା ଅନ୍ତର୍ଗତ ଖୁଣ୍ଟାପୁର ଅଞ୍ଚଳର ବାସିନ୍ଦା। ଅଭିଯୁକ୍ତ ରାଜୁ ତା ସାନ ଭାଇ ଲବ ସହିତ ମିଶି ତାର ଶ୍ୱସୁରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।    

ଖବର ଅନୁସାରେ, ୨୦୨୦ ଜାନୁଆରୀ ୭ ରେ ପ୍ରଥମାଷ୍ଟମୀ ପାଇଁ ଶଶୁର ରମେଶ ସିଂ(୫୦) ଖୁଣ୍ଟାପୁରରେ ଥିବା ଝିଅ ଘରକୁ ଯାଇଥିଲେ। ସେଠାରେ ନାତିକୁ ନୂଆଁ ଡ୍ରେସ କିଣିବା ପାଇଁ ରାଜୁ ସିଂଙ୍କୁ କହିଥିଲେ।  ସେମାନଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ କଳହ ଲାଗିରହିଥିଲା।  ଏହି କଥାରେ ରାଜୁ ସିଂ ଉତ୍ୟକ୍ତ ହୋଇ ଲବ  ସହି ମିଶି ଶଶୁର ରମେଶଙ୍କୁ ଜାବୁଡ଼ି ଧରିଥିଲେ। ଏହାପରେ ଗୋଟିଏ ଦାଆରେ ତାଙ୍କ ବେକକୁ କାଟି ହତ୍ୟା କରିଥିଲେ।

ଏନେଇ ଝିଅ ସଂଯୁକ୍ତା ସିଂ ସ୍ଥାନୀୟ ବୈସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫଳରେ ଅଭିଯୋଗ ନମ୍ୱର ୨୯୧/୨୦ ମୂଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ଦୁଇ ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲେ। ୧୬ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୋଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ବିଚାରପତି ବିଚାରପତି  ସୁରେଶ ଚନ୍ଦ୍ର ପ୍ରଧାନ ଏହି ଶୁଣାଣି କରିଛନ୍ତି। ଅନ୍ୟପଟେ ଗିରଫ ପର ସମ୍ପୃକ୍ତ ୨ ଅଭିଯୁକ୍ତ ଜେଲରେ ବିଚାରଧୀନ କଏଦୀ ଭାବେ ଥିଲେ। ଏହି ମାମଲାକୁ ଅତିରିକ୍ତ ସରକାରୀ ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.