ଗୁଜରାଟରେ ମିଳିଲେ XBB.1.5 ଭାରିଆଣ୍ଟରେ ସଂକ୍ରମିତ ଆଉ୨ ରୋଗୀ, ଦେଶରେ ହେଲେ ମୋଟ ୫
4/01/2023 at 6:46 PM

ଅହମ୍ମଦାବାଦ ୪।୧: ଗୁଜରାଟରେ କରୋନାର ନୂଆ ଭାଇରସ ଏକ୍ସବିବି.୧.୫ରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୁଧବାର ୩କୁ ପହଞ୍ଚିଛି। ଇନସାକଗ ମଙ୍ଗଳବାର ଏ ନେଇ ରିପୋର୍ଟ ଜାରି କରିଛନ୍ତି। ଏହି ରିପୋର୍ଟ ଅନୁସାରେ କୋଭିଡ-୧୯ ଓମିକ୍ରନର ନୂଆ ଭାରିଆଣ୍ଟ ଏକ୍ସବିବି.୧.୫ର ଦେଶରେ ମୋଟ ୫ଜଣ ସଂକ୍ରମିତ ମିଳିଛନ୍ତି। ଏଥିରୁ ଗୁଜରାଟରେ ୩ଜଣ ସଂକ୍ରମିତ ହୋଇଥିବା ବେଳେ କର୍ଣ୍ଣାଟକରେ ଜଣେ ଓ ରାଜସ୍ଥାନରେ ଜଣକଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି।

ଗୁଜରାଟ ବାୟୋଟେକ୍ନୋଲଜି ରିସର୍ଚ୍ଚ ସେଣ୍ଟର (ଜିବିଆରସି) ମାଧ୍ୟମରେ କରାଯାଇଥିବା ଜିନୋମ ସିକ୍ୱେନସିଂରେ ଓମିକ୍ରନ ଷ୍ଟ୍ରେନର ସବୁଠୁ ଅଧିକ ପ୍ରଚଳିତ ସବ୍ ଭାରିଆଣ୍ଟ ଏକ୍ସବିବି.୧.୫ରେ ସଂକ୍ରମିତ ଆଉ ୨ ଜଣ ରୋଗୀ ଗୁଜରାଟରେ ମିଳିଛନ୍ତି। ଏଥିରୁ ଜଣେ ଅହମ୍ମଦାବାଦର ହୋଇଥିବା ବେଳେ ଅନ୍ୟ ଜଣକ ଆଣନ୍ଦ ଜିଲ୍ଲାରୁ ଅଛନ୍ତି। ତେବେ ଏହାର ୧ ସପ୍ତାହ ପୂର୍ବରୁ ଗୁଜରାଟରେ ଏହି ଭାରିଆଣ୍ଟର ଗୋଟିଏ ମାମଲା ସାମ୍ନାକୁ ଆସିଥିଲା। ପ୍ରଥମ ମାମଲାଟି ମଧ୍ୟ ଅହମ୍ମଦାବାଦରୁ ଆସିଥିଲା।

ଅଧ୍ୟୟନ ଅନୁସାରେ ଏକ୍ସବିବି.୧.୫ ବର୍ତ୍ତମାନ ଆମେରିକାରେ ସକ୍ରିୟ ମାମଲାର ୪୦ ପ୍ରତିଶତ। ତେବେ କରୋନାର ଏହି ଭାରିଆଣ୍ଟ ଗୁଜରାଟରେ ନଭେମ୍ବର ପରେ ପ୍ରଚଳିତ ସବଭାରିଆଣ୍ଟରେ ପରିବର୍ତ୍ତିତ ହୋଇଛି। ଜିବିଆରସିଙ୍କ ସୂଚନା ଅନୁସାରେ ଗୁଜରାଟରେ ଏକ୍ସବିବି.୧ର ୫୭ଟି, ଏକ୍ସବିବି.୨ର ୫୨ଟି, ଏକ୍ସବିବି.୫ର ୨୩ଟି ଓ ଏକ୍ସବିବିର ୧୭ଟି ମାମଲା ସାମ୍ନାକୁ ଆସିଛି। ତେବେ ଗୁଜରାଟରେ ନୂଆ କୋଭିଡ ମାମଲାରେ ଏକ୍ସବିବି.୧କୁ ପ୍ରମୁଖଭାବେ ଦର୍ଶା ଯାଉଛି।