ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ, ଆଉ ୨ କୋଭିଡ-୧୯ ପଜିଟିଭ୍, କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୦
27/04/2020 at 3:30 PM

ଭୁବନେଶ୍ୱର, ୨୭|୦୪: ରାଜ୍ୟରେ ଆଉ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ କଥା ହେଲା ଯେ କୋରାପୁଟ ଦଶମନ୍ତପୁରର ଜଣେ ୨୨ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି । ଏହା ହେଉଛି କୋରାପୁଟ ଜିଲ୍ଲାରେ ପ୍ରଥମ କେସ୍ । ଏହାସହ ବାଲେଶ୍ୱରରେ ମଧ୍ୟ ଆଉ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୨ ବର୍ଷୀୟ ଏହି ସଂକ୍ରମିତ ଜଣଙ୍କ ସେ କୋଲକାତାରୁ ଫେରିଥିଲେ । ଏବେସୁଦ୍ଧା ରାଜ୍ୟରେ ମୋଟ ଚିହ୍ନଟଙ୍କ ସଂଖ୍ୟା ୧୧୦ରେ ପହଁଚିଛି ।
ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୦ରେ ପହଁଚିଛି । ଆଜି ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହା ପୂର୍ବରୁ ସକାଳେ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମସ୍ତ ଆକ୍ରାନ୍ତ ବାଲେଶ୍ବର କଣ୍ଟେନମେଣ୍ଟ ଅଞ୍ଚଳର ବୋଲି ସୂଚନା ଜଣାପଡିଥିଲା । ଆକ୍ରାନ୍ତଙ୍କ ଭିତରୁ ୪ଜଣ ମହିଳା ଏବଂ ଜଣେ ପୁରୁଷ । ମହିଳାଙ୍କ ଭିତରୁ ଜଣଙ୍କ ବୟସ ୫୫, ଜଣେ ୨୨ବର୍ଷୀୟ, ଜଣେ ୨୩ବର୍ଷୀୟ ଏବଂ ଅନ୍ୟ ଜଣେ ୨୯ବର୍ଷୀୟ ମହିଳା । ଅନ୍ୟ ଜଣେ ପୁରୁଷଙ୍କ ବୟସ ୨୭ବର୍ଷ । ଅପରାହ୍ନରେ ଆଉ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ କୋରାପୁଟ ଜିଲ୍ଲାର ହୋଇଥିବା ବେଳେ ଆଇ ଜଣେ ବାଲେଶ୍ୱରର ଅଟନ୍ତି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ କେବଳ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୁ ବୃଦ୍ଧି ପାଇଛି । ସେହିପରି ଏହି ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଛି ।